Categories: ଜାତୀୟ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲା କେରଳ

ନୂଆଦିଲ୍ଲୀ,୨୪।୩: କେରଳ ବିଧାନସଭାରେ ଗୃହୀତ ୪ ବିଲ୍‌କୁ ମଞ୍ଜୁରୀ ନ ଦେଇ ପକାଇରଖିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଛନ୍ତି। କେରଳର ସିପିଆଇ(ଏମ୍‌) ନେତୃତ୍ୱାଧୀନ ଏଲ୍‌ଡିଏଫ୍‌ ସରକାର ଏହି ମାମଲାରେ କେନ୍ଦ୍ର ସରକାର, ରାଷ୍ଟ୍ରପତିଙ୍କ ସଚିବ, କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନ୍‌ ଏବଂ ତାଙ୍କ ଅତିରିକ୍ତ ସଚିବଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଆଇନଜୀବୀ ସି.କେ. ଶଶୀଙ୍କ ଜରିଆରେ ଦାଖଲ ହୋଇଥିବା ପିଟିଶନରେ କୁହାଯାଇଛି, କେରଳ ରାଜ୍ୟପାଳ ଖାନ୍‌ ୭ଟି ବିଲ୍‌କୁ ଅଟକାଇ ରଖିଛନ୍ତି। ୭ ବିଲ୍‌ରୁ କୌଣସି ଗୋଟିଏ ବି କେନ୍ଦ୍ର-ରାଜ୍ୟ ସମ୍ପର୍କ ସହ ଜଡ଼ିତ ନୁହେଁ। ରାଜ୍ୟପାଳ ବିଲ୍‌ଗୁଡ଼ିକୁ ୨ ବର୍ଷ ହେଲା ଅଟକାଇ ରଖିଥିବାରୁ ରାଜ୍ୟ ବିଧାନସଭା କାର୍ଯ୍ୟଧାରାକୁ ବିକୃତ କରିଛି ଏବଂ ଏହାର ଉପସ୍ଥିତି ପ୍ରଭାବହୀନ ହୋଇପଡ଼ିଛି। ସେଥିପାଇଁ ରାଜ୍ୟପାଳଙ୍କୁ ବେଆଇନ ଘୋଷଣା କରାଯାଉ ବୋଲି କେରଳ ସରକାର ପିଟିଶନରେ ନିବେଦନ କରିଛନ୍ତି।

ବିଲ୍‌ଗୁଡ଼ିକ ଜନସ୍ବାର୍ଥ ସମ୍ବଳିତ, ଯାହା କାର୍ଯ୍ୟକାରୀ ହୋଇଥିଲେ ଲୋକଙ୍କ ମଙ୍ଗଳ ହୋଇଥାନ୍ତା। ତେବେ ରାଜ୍ୟପାଳ ସେଗୁଡ଼ିକୁ ଚାପିରଖି ଅପ୍ରଭାବୀ କରିଦେଇଛନ୍ତି। ଅନୁଚ୍ଛେଦ ୨୦୦ର ବ୍ୟବସ୍ଥା ଅନୁଯାୟୀ ଉକ୍ତ ବିଲ୍‌ଗୁଡ଼ିକ ଯଥାସମ୍ଭବ ଶୀଘ୍ର ମଞ୍ଜୁରୀ ପାଇବା ଆବଶ୍ୟକ। ୭ ବିଲ୍‌ ମଧ୍ୟରୁ ରାଷ୍ଟ୍ରପତିଙ୍କ ପାଖରେ ୪ଟି ବିଲ୍‌ ପଡ଼ିରହିଥିବା ଗତ ଫେବୃଆରୀ ୨୩ ଏବଂ ୨୯ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଜଣାଇଥିଲା। ସେହି ବିଲ୍‌ଗୁଡ଼ିକ ହେଲା, ବିଶ୍ୱବିଦ୍ୟାଳୟ ଆଇନ(ସଂଶୋଧନ)(୨ ନମ୍ବର) ବିଲ୍‌, ୨୦୨୧, କେରଳ କୋ-ଅପରେଟିଭ୍‌ ସୋସାଇଟିଜ୍‌ (ସଂଶୋଧନ) ବିଲ୍‌, ୨୦୨୨, ବିଶ୍‌ବିଦ୍ୟାଳୟ ଆଇନ (ସଂଶୋଧନ) ବିଲ୍‌, ୨୦୨୨ ଏବଂ ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ) (୩ ନମ୍ବର) ବିଲ୍‌, ୨୦୨୨। କୌଣସିି କାରଣ ନ ଦର୍ଶାଇ ବିଲ୍‌ଗୁଡ଼ିକୁ
ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ ନ କରିବାକୁ ଅସାମ୍ବିଧାନିକ ଘୋଷଣା କରାଯାଉ ବୋଲି ପିଟିଶନରେ ନିବେଦନ କରାଯାଇଛି। ତେବେ ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରିବା ବା ମଞ୍ଜୁରୀ ଦେବାକୁ ମନା କରିବା ପାଇଁ ରାଷ୍ଟ୍ରପତି କେତେ ସମୟ ନେବେ ଏବଂ ରାଷ୍ଟ୍ରପତିଙ୍କ ବିଚାର ନିମନ୍ତେ ପଠାଯିବାକୁ କେତେ ସମୟ ଲାଗିବ, ସେ ନେଇ ସମ୍ବିଧାନରେ କିଛି କୁହାଯାଇ ନାହିଁ। ସମ୍ବିଧାନର ଅନୁଚ୍ଛେଦ ୩୬୧ ଅନୁଯାୟୀ ରାଷ୍ଟ୍ରପତି କିମ୍ବା ରାଜ୍ୟର ରାଜ୍ୟପାଳ ସେମାନଙ୍କ କ୍ଷମତାର ପ୍ରଦର୍ଶନ ଏବଂ କର୍ତ୍ତବ୍ୟ ସମ୍ପାଦନ ନେଇ କୌଣସି ଅଦାଲତଙ୍କ ନିକଟରେ ଉତ୍ତରଦାୟୀ ନୁହନ୍ତି। ୨୦୧୭ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିରୋଧରେ ଅନିନ୍ଦିତା ନାମ୍ନୀ ମହିଳାଙ୍କ ସମେତ ଅନ୍ୟମାନେ ଜନସ୍ବାର୍ଥ ମାମଲା(ପିଆଇଏଲ୍‌) ଦାଏର କରିଥିଲେ। ରାଷ୍ଟ୍ରପତି ଉକ୍ତ ପଦବୀ ପାଇଁ ଯୋଗ୍ୟ ନୁହନ୍ତି ବୋଲି ଘୋଷଣା କରିବା ନିମନ୍ତେ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ତତ୍କାଳୀନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏବଂ ଆର୍‌. ଭାନୁମତୀ ପିଟିଶନରମାନଙ୍କୁ ଭର୍ତ୍ସନା କରିବା ସହ ରାଷ୍ଟ୍ରପତିଙ୍କୁ କୌଣସି ମାମଲାରେ ପକ୍ଷଭୁକ୍ତ କରାଯାଇପାରିବ ନାହିଁ ବୋଲି ତାଙ୍କ ରାୟରେ ସ୍ପଷ୍ଟ କରିଦେଇଥିଲେ।

Share