Categories: ଜାତୀୟ

ଭାରତ ବିଶ୍ୱର ୫ମ ବୃହତ୍‌ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ,୩ା୯: ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥ ବ୍ୟବସ୍ଥାର ପରିଚୟ ହାସଲ କରିଛି। ଅର୍ଥନୀତିରେ ବ୍ରିଟେନ ଷଷ୍ଠ ସ୍ଥାନକୁ ଖସିଯାଇଛି। ପ୍ରଥମ ୪ ସ୍ଥାନରେ ଆମେରିକା, ଚାଇନା, ଜାପାନ ଓ ଜର୍ମାନୀ ରହିଛନ୍ତି। ୧୦ ବର୍ଷ ପୂର୍ବରୁ ବିଶ୍ୱର ବୃହତ୍‌ ଅର୍ଥବ୍ୟବସ୍ଥା ମଧ୍ୟରେ ବ୍ରିଟେନ ୫ମ ସ୍ଥାନରେ ଥିବାବେଳେ ଭାରତ ୧୧ତମ ସ୍ଥାନରେ ରହିଥିଲା। ମାର୍ଚ୍ଚ କ୍ୱାର୍ଟରରେ ଭାରତୀୟ ଅର୍ଥବ୍ୟବସ୍ଥା ୮୫୪.୭ ବିଲିୟନ ଡଲାର ଥିବାବେଳେ ବ୍ରିଟେନ୍‌ର ୮୧୬ ବିଲିୟନ ଡଲାର ରହିଛି। ଡଲାର ଟର୍ମରେ ବ୍ରିଟେନକୁ ଭାରତ ଟପିଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ନିଜ ପୂର୍ବାନୁମାନରେ ଦର୍ଶାଇଛି। ଅନ୍ତର୍ଜାତୀୟ ସ୍ତରରେ ବ୍ରିଟେନର ଅର୍ଥନୀତି ତଳକୁ ଖସିବା ନୂଆ ପ୍ରଧାନମନ୍ତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି କୁହାଯାଉଛି। ନୂଆ ପ୍ରଧାନମନ୍ତ୍ରୀ ପଦ ଲାଗି ଶୁକ୍ରବାର ଭୋଟଦାନ ଶେଷ ହୋଇଥିବାବେଳେ ପ୍ରତିଦ୍ୱନ୍ଦ୍ୱିତାରେ ଥିବା ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରସ୍‌ ପୂର୍ବତନ ଚାନ୍‌ସେଲର ଋଷି ସୁନକଙ୍କୁ ହରାଇବା ସମ୍ଭାବନା ରହିଛି।

Share