Categories: ଜାତୀୟ

ଅସ୍ତ୍ରଶସ୍ତ୍ରରେ ପଛାଉଛି ଭାରତ

‘ମେକ୍‌ ଇନ୍‌ ଇଣ୍ଡିଆ’ ନୀତିରେ ମୋବାଇଲଠାରୁ ଆରମ୍ଭ କରି ଫାଇଟର ଜେଟ୍‌ ନିର୍ମାଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋତ୍ସାହିତ କରୁଛନ୍ତି। ହେଲେ ପ୍ରତିରକ୍ଷା କ୍ଷେତ୍ରରେ ଏହାର ବିପରୀତ ପ୍ରଭାବ ଦେଖାଯିବା ଆଶଙ୍କା ଉପୁଜିଛି। କେନ୍ଦ୍ରର କଟକଣା ଯୋଗୁ ଭାରତୀୟ ବାୟୁସେନା, ସ୍ଥଳ ଏବଂ ନୌସେନା ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧାସ୍ତ୍ର ନିର୍ମାଣ ନିମନ୍ତେ ଯନ୍ତ୍ରାଂଶ ଆମଦାନୀ କରିପାରୁନାହାନ୍ତି। ଏଥିଯୋଗୁ ପୁରୁଣା ହୋଇଯାଉଥିବା ଅସ୍ତ୍ରଶସ୍ତ୍ରର ମରାମତି କଷ୍ଟକର ହୋଇପଡ଼ିବ। ସ୍ବଦେଶୀ ଜ୍ଞାନକୌଶଳ ଏବଂ କଞ୍ଚାମାଲ ବ୍ୟବହାରରେ ଗତ ୮ ବର୍ଷରେ ଭାରତର ଯୁଦ୍ଧାସ୍ତ୍ର ଆବଶ୍ୟକତା ପୂରଣ ହୋଇପାରିନାହିଁ। ଫଳରେ ଆଗକୁ ଭାରତୀୟ ସେନାରେ ହେଲିକପ୍ଟର, ଯୁଦ୍ଧବିମାନର ଅଭାବ ଉପୁଜିବ। ଏପରି ହେଲେ ଚାଇନା ଓ ପାକିସ୍ତାନ ପଟୁ ବଢ଼ୁଥିବା ଆହ୍ବାନର ମୁକାବିଲା କଷ୍ଟକର ହୋଇପଡ଼ିବ।

ହେଲିକପ୍ଟର ସଙ୍କଟ ଜାରି

ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଭାରତୀୟ ସେନାରେ ହେଲିକପ୍ଟର ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ତିନି ସେନା ୫୦ ବର୍ଷରୁ ଅଧିକ ସମୟ ହେଲା ଫ୍ରାନ୍ସ ନିର୍ମିତ ହେଲିକପ୍ଟର ଉପରେ ନିର୍ଭରଶୀଳ। ମୋଟ ହେଲିକପ୍ଟରର ୮୦%ରୁ ଅଧିକ ୩୦ ବର୍ଷର ଜୀବନକାଳ ପୂରଣ କରିସାରିଛି। ସିଙ୍ଗଲ-ଇଞ୍ଜିନ ହେଲିକପ୍ଟରଗୁଡ଼ିକୁ ୨୦୨୬ ସୁଦ୍ଧା ଗ୍ରାଉଣ୍ଡ କରିବାକୁ ପଡ଼ିବ। ହେଲେ ଘରୋଇ ଭାବେ ନିର୍ମିତ ଲାଇଟ୍‌ ହେଲିକପ୍ଟରଗୁଡିକ ୨୦୩୦ ଶେଷ ପୂର୍ବରୁ ସମ୍ପୂର୍ଣ୍ଣ ନିର୍ମାଣ ସମ୍ଭାବନା କମ୍‌। ରୁଷୀୟ କାମୋଭ୍‌-୨୨୬ଟି ହେଲିକପ୍ଟର ପ୍ରସ୍ତୁତ ପାଇଁ ଯୋଜନା ହୋଇଥିଲେ ହେଁ ଏ ଯାଏ ଏହାର ମୂଲ୍ୟ ଏବଂ ଏଥିରେ ଲାଗିବାକୁ ଥିବା ପାର୍ଟସ୍‌ଗୁଡ଼ିକର ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ କରାଯାଇପାରିନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ପୁରୁଣା ହେଲିକପ୍ଟର ଯୋଗୁ ସେନା କର୍ମଚାରୀଙ୍କ ଜୀବନ ଯାଉଛି। ରେକର୍ଡ ଅନୁସାରେ, ୨୦୧୭ରୁ ୨୦୨୧ ଡିସେମ୍ବର ୩୧ ସୁଦ୍ଧା ହେଲିକପ୍ଟର ଦୁର୍ଘଟଣାରେ ୩୧ ଯବାନ ଶହୀଦ ହୋଇଛନ୍ତି।

Share