Categories: ଖେଳ

ସମାଲୋଚନା ପରେ ଶ୍ରୀଜେଶଙ୍କ ପାଇଁ ୨ କୋଟି ଟଙ୍କା

ନୂଆଦିଲ୍ଲୀ,୧୧।୮: ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହେଉଛନ୍ତି ପି ଆର ଶ୍ରୀଜେଶ। ଗତ ୧୦ ତାରିଖରେ ହକି ଦଳର ଖେଳାଳିମାନେ ଭାରତରେ ପହଞ୍ଚିବା ପରେ ବିଭିନ୍ନ ରାଜ୍ୟ ସରକାର ସେମାନଙ୍କ ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଥିଲେ। କିନ୍ତୁ ଗୋଲକିପର ଶ୍ରୀଜେଶଙ୍କ କ୍ଷେତ୍ରରେ ଏଭଳି ଘଟିବାରେ ବିଳମ୍ବ ହୋଇଥିଲା। ଏଥି ନେଇ ବେଶ୍‌ ସମାଲୋଚିତ ହୋଇଥିଲେ କେରଳ ସରକାର। ଶେଷରେ ଶ୍ରୀଜେଶଙ୍କ ଲାଗି ୨ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଏଥି ପୂର୍ବରୁ ଦୁବାଇରେ ପ୍ରତିଷ୍ଠିତ ବ୍ୟବସାୟୀ ଶ୍ରୀଜେଶଙ୍କ ଏକ କୋଟି ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ।

ବ୍ରୋଞ୍ଜ ପଦକ ମ୍ୟାଚ୍‌ର ଅନ୍ତିମ ସେକେଣ୍ଡରେ ଜର୍ମାନୀକୁ ମିଳିଥିଲା ଅନ୍ତିମ ପେନାଲ୍ଟି କର୍ନର। କିନ୍ତୁ ଜର୍ମାନୀ ଖେଳାଳିଙ୍କ ଉଦ୍ୟମକୁ ସଫଳ ହେବାକୁ ଦେଇ ନ ଥିଲେ ଶ୍ରୀଜେଶ। ତାଙ୍କ ଯୋଗୁ ୪୧ ବର୍ଷ ପରେ ଭାରତକୁ ମିଳିଥିଲା ପ୍ରଥମ ଅଲିମ୍ପିକ୍ସ ପଦକ। ଏହି ବିଜୟ ପରେ ସୋସିଆଲ ମିଡିଆରେ ତାଙ୍କୁ ଗ୍ରେଟ୍‌ ଓ୍ବାଲ ଅଫ୍‌ ଇଣ୍ଡିଆ ବୋଲି କୁହାଯାଉଥିଲା।

Share