ମନ୍ଦିର ଶିଳାନ୍ୟାସକୁ ନେଇ ଅସହିଷ୍ଣୁ ପାକିସ୍ତାନ: କହିଲା ‘ଭାରତ ଏବେ ରାମନଗର ହୋଇଯାଇଛି’

ଇସଲାମାବାଦ,୫।୮: ଅଯୋଧ୍ୟାରେ ରାମମନ୍ଦିର ଲାଗି ବୁଧବାର ଶିଳାନ୍ୟାସ କରାଯାଇଛି। ଏହାକୁ ଲାଗି ସମଗ୍ର ଭାରତ ଉତ୍ସବମୁଖର ହୋଇଥିବା ବେଳେ ପାକିସ୍ତାନ ଅସହିଷ୍ଣୁ ହୋଇପଡ଼ିଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ସରକାରରେ ରେଳ ମନ୍ତ୍ରୀ ଥିବା ଶେଖ ରଶିଦ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହି ଉତ୍ସବକୁ ରଶିଦ୍‌ ସାମ୍ପ୍ରଦାୟିକା କହିବା ସହ ଭାରତ ଏବେ ରାମନଗର ହୋଇଯାଇଛି ବୋଲି କହିଛନ୍ତି। ଦେଶରେ ଆଉ ଧର୍ମନିରପେକ୍ଷତା ନାହିଁ। ବର୍ତ୍ତମାନ ଭାରତରେ ହିନ୍ଦୁବାଦୀ ଶକ୍ତିମାନେ ଧିରେ ଧିରେ ଶାସନ କରିବାରେ ଲାଗିଲେଣି ବୋଲି ସେ କହିଛନ୍ତି।

ମଙ୍ଗଳବାର ଏକ ବିବୃତି ରଖି ରଶିଦ ଭାରତରେ ଧର୍ମନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଥିଲେ, ଭାରତ ବର୍ତ୍ତମାନ ରାମନଗରରେ ପରିଣତ ହୋଇଛି। ସେଠାରେ ସାମ୍ପ୍ରଦାୟିକତା ବୃଦ୍ଧି ପାଉଛି ଏବଂ ଧର୍ମନିରପେକ୍ଷତା ସମାପ୍ତ ହେବାକୁ ଯାଉଛି। ସତ କହିବାକୁ ଗଲେ ଭାରତ ଆଉ ଧର୍ମନିରପେକ୍ଷ ନୁହେଁ। ସଂଖ୍ୟାଲଘୁମାନେ ସେଠାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭାରତ ଏବେ ଶ୍ରୀରାମଙ୍କ ହିନ୍ଦୁତ୍ୱରେ ପଡ଼ିଛି ବୋଲି ସେ କହିଛନ୍ତି। ଏହାଛଡ଼ା କଶ୍ମୀର ପ୍ରସଙ୍ଗ ଉଠାଇ ସେ କହିଛନ୍ତି, ଯେଉଁଦିନ ମୋଦି ରାମମନ୍ଦିରକୁ ନେଇ ଭୂମିପୂଜା କରିବେ, ସେହିଦିନ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଠାଯାଇଥିଲା। ୨୦୧୯ ଅଗଷ୍ଟ ୫ରେ ଅନୁଚ୍ଛେଦ-୩୭୦କୁ ହଟାଇଦିଆଯାଇଥିଲା। ଏହାସହ କଶ୍ମୀରର ସ୍ବତନ୍ତ୍ର ପାହ୍ୟା ଶେଷ ହୋଇଥିଲା। ହେଲେ ପାକିସ୍ତାନର ମୁସଲମାନ କଶ୍ମୀରବାସୀଙ୍କ ସହ ଛିଡ଼ା ହୋଇଛନ୍ତି। ସେମାନେ କାହା ସହ ରହିବାକୁ ଚାହୁଁଛନ୍ତି ତାହା ସ୍ଥିର କରିବାକୁ ଭାରତ ତାଙ୍କୁ ସ୍ଥିର କରିବାକୁ ସୁଯୋଗ ଦେବା ଉଚିତ ବୋଲି ମଧ୍ୟ ସେ କହିଛନ୍ତି।

Share