କରୋନା ଭଳି ବଡ଼ ଆହ୍ବାନ ଲାଗି ବୃହତ୍‌ ସଂକଳ୍ପ ଗ୍ରହଣ କରିଛି ଭାରତ: ମୋଦି…

ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ମହାମାରୀ ସହିତ ଲଢ଼େଇ ଜାରି ରହିଛି। କରୋନା ଭଳି ବଡ଼ ଆହ୍ବାନ ଲାଗି ଦେଶ ବୃହତ୍‌ ସଂକଳ୍ପ ଗ୍ରହଣ କରିଛି। ଦିନରାତି ଦେଶର ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀମାନେ ନିଜ ଚିନ୍ତା ନ କରି ଆକ୍ରାନ୍ତଙ୍କ ସେବା କରିବାରେ ବ୍ୟସ୍ତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୭ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ରବିବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। କରୋନା ଲଢ଼େଇରେ ଦେଶବାସୀ ଏକଜୁଟ ହୋଇ ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଥିବା ସେ କହିଛନ୍ତି। ଜନସାଧାରଣ ସାହସ, ଧର୍ଯ୍ୟ ଏବଂ ଅନୁଶାସନର ସହିତ କରୋନାକୁ ହରାଇବାର ଉଦ୍ୟମ ଜାରି ରଖିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ଲଢ଼େଇ ସମୟରେ ବହୁ ରାଜ୍ୟରେ ବନ୍ୟା, ବାତ୍ୟା, ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ତେବେ ଏସବୁ ଦ୍ୱାରା ଦେଶବାସୀଙ୍କ ସାହାସ କମିନି ବରଂ ବିଢ଼ିଛି। ସଙ୍କଟ ବିରୋଧରେ ଲଢ଼େଇ କରିବା ଲାଗି ଦେଶବାସୀଙ୍କୁ ପ୍ରେରଣା ମିଳିଛି। ଗତ ୧୦୦ବର୍ଷ ମଧ୍ୟରେ ସବୁଠାରୁ ବଡ଼ ମହାମାରୀ ଦେଶରେ ଦେଖାଦେଇଛି। ଏହା ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନାବଦ୍ଧ ଭାବେ ରଣନୀତି ପ୍ରସ୍ତୁତ କରାଯାଇଛି। ଦେଶର ସଙ୍କଟ ସମୟରେ ନିଜର ରୁଟିନ୍‌ କାମ ଛାଡ଼ି ଜଳ,ସ୍ଥଳ ଏବଂ ବାୟୁସେନା ଦୃଢ଼ ଚଟାଣ ଭଳି ଜନସାଧାରଣଙ୍କ ପାଖରେ ଛିଡ଼ା ହୋଇଛନ୍ତି। ଏହା ଅତ୍ୟନ୍ତ ପ୍ରଶଂସା ଯୋଗ୍ୟ କାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

Share