ବ୍ରିକ୍ସ ସମ୍ପ୍ରସାରଣକୁ ଭାରତର ପୂର୍ଣ୍ଣ ସମର୍ଥନ ରହିଛି: ମୋଦି

ଜୋହାନ୍ସବର୍ଗ,୨୪ା୮(ପି.ଟି.) : ବ୍ରିକ୍ସର ସମ୍ପ୍ରସାରଣକୁ ଭାରତ ପୂର୍ଣ୍ଣ ସମର୍ଥନ କରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ସହ ଏନେଇ ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସହମତିକୁ ସ୍ବାଗତ କରିଛନ୍ତି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବଢ଼ାଇବା ଲାଗି ପ୍ରଧାନମନ୍ତ୍ରୀ ମହାକାଶ ଆବିଷ୍କାର ସମେତ ୫ଟି ପ୍ରସ୍ତାବ ଉପସ୍ଥାପନ କରିଥିଲେ। ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସ ସମିଟ୍‌ରେ ପ୍ରଧାନମନ୍ତ୍ରୀ ବିଶ୍ୱକୁ ଧ୍ରୁବୀକରଣ ନୁହେଁ ଏକତାର ବାର୍ତ୍ତା ଦେବାକୁ ଆହ୍ବାନ ଦେଇଥିଲେ।

ଏଥିସହିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ପାଇଁ ଏକ ପରିଭାଷିତ ସମୟସୀମା ଧାର୍ଯ୍ୟ କରିବାକୁ ସେ କହିଥିଲେ। ବିଶ୍ୱ ବାଣିଜ୍ୟ ସଂଗଠନ ସମେତ ବିଭିନ୍ନ ବହୁପକ୍ଷୀୟ ଫାଇନାନ୍ସିଆଲ ସଂସ୍ଥାରେ ସଂସ୍କାର ଆଣିବା ଏବଂ ବ୍ରିକ୍ସ ମହାକାଶ ଆବିଷ୍କାର କନସୋର୍ଟିୟମ ଗଠନ ଲାଗି ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

ଟେଲିଭିଜନ ଉଦ୍‌ବୋଧନରେ ମୋଦି କହିଥିଲେ, ବ୍ରିକ୍ସକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ସଂଗଠନରେ ପରିଣତ କରିବାରେ ପ୍ରଯୁକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରିବ। ଡିଜିଟାଲ କ୍ଷେତ୍ରରେ ଭାରତ ବିଶେଷଜ୍ଞତା ଶେୟାର କରିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ବ୍ରିକ୍ସର ନୂଆ ସଂଜ୍ଞା ବ୍ରେକିଂ ବ୍ୟାରିଅର, ରିଭିଟାଲାଇଜିଙ୍ଗ ଇକୋନୋମିକ୍ସ, ଇନସ୍ପାୟାରିଂ ଇନୋଭେଶନ, କ୍ରିଏଟିଙ୍ଗ ଅପର୍ଚୁନିଟିଜ୍‌ ଆଣ୍ଡ ଶେପିଂ ଦି ଫ୍ୟୁଚର (ପ୍ରତିବନ୍ଧକ ଦୂରକରିବା, ଅର୍ଥନୀତିକୁ ପୁନଃଶକ୍ତିଶାଳୀ କରିବା, ପ୍ରେରଣାଦାୟୀ ନବପ୍ରବର୍ତ୍ତନ, ସୁଯୋଗ ସୃଷ୍ଟି ଏବଂ ଭବିଷ୍ୟତ ବନାଇବା) ବୋଲି କହିଥିଲେ।