ବାଂଲାଦେଶକୁ ୨୦ ଲକ୍ଷ କରୋନା ଟିକା ଉପହାର ଦେବ ଭାରତ

ନୂଆଦିଲ୍ଲୀ,୧୯।୧: ଭାରତରେ ସାର୍ବଜନୀକ କରୋନା ଟିକା ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଭାରତ ପକ୍ଷରୁ ବାଂଲାଦେଶକୁ ୨୦ଲକ୍ଷ କରୋନା ଟିକା ଉପହାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଜାନୁୟାରୀ ୨୦ରେ ଟିକା ବାଂଲାଦେଶରେ ପହଞ୍ଚିବ। ଏକ ସ୍ବତନ୍ତ୍ର ବିମାନରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଟିକା ବାଂଲାଦେଶକୁ ପଠାଯିବ। ବିମାନ ବାଂଲାଦେଶର ଶାହଜଲାଲ ବନ୍ଦରରେ ଅବତରଣ କରିବ। ଏସମ୍ପର୍କରେ ବାଂଲାଦେଶ ସ୍ବାସ୍ଥ୍ୟ ସଚିବ ଅବଦୁଲ୍‌ ମନାନ୍‌ ସୂଚନା ଦେଇଛନ୍ତି। ଦୁଇଦେଶରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଏଭଳି କରାଯାଉଥିବା କୁହାଯାଉଛି। ତେବେ ଏହାକୁ ନେଇ ପାକିସ୍ତାନର ମନ ଫିକା ପଡ଼ିଯାଇଛି। ଭାରତଠାରୁ ଟିକା ପାଇବା ଲାଗି ପାକିସ୍ତାନ ଆଶା ନେଇ ରହିଛି। ଇତିମଧ୍ୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ଟିକାକୁ ଦେଶରେ ଜରୁରିକାଳୀନ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରି ସାରିଛନ୍ତି। ପାକିସ୍ତାନ ଡ୍ରଗ୍‌ ରେଗୁଲେଟାରୀ ଅଥରିଟି ପକ୍ଷରୁ ଟିକା ବ୍ୟବହାର ଲାଗି କରାଯାଇଥିବା ଆବେଦନକୁ ଅନୁମୋଦନ ଦେଇଛନ୍ତି।

Share