Categories: ଜାତୀୟ

ଭାରତ-ଜର୍ମାନୀ ଗତିଶୀଳତା ଚୁକ୍ତି ସ୍ବାକ୍ଷର

ନୂଆଦିଲ୍ଲୀ,୫।୧୨: ଭାରତ ଏବଂ ଜର୍ମାନୀ ମଧ୍ୟରେ ସୋମବାର ଗତିଶୀଳତା ସହଯୋଗିତା ଚୁକ୍ତି ସ୍ବାକ୍ଷର ହୋଇଛି। ଏଥିସହିତ ୟୁକ୍ରେନ୍‌ ଯୁଦ୍ଧ, ଆଫଗାନିସ୍ତାନ ସ୍ଥିତି ଏବଂ ପାକିସ୍ତାନରୁ ସୀମାପାର ଆତଙ୍କବାଦ ଆଦି ପ୍ରମୁଖ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ଉପରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ତାଙ୍କ ଜର୍ମାନୀ ପ୍ରତିପକ୍ଷ ଆନ୍ନାଲେନା ବଏରବକ୍‌ ଆଲୋଚନା କରିଥିଲେ। ମୋବିଲିଟି ଚୁକ୍ତିନାମା ବଳରେ ଦୁଇ ଦେଶର ଲୋକେ ପରସ୍ପର ଦେଶକୁ ସହଜରେ ଯାଇ ଅଧ୍ୟୟନ, ଗବେଷଣା ଓ କାର୍ଯ୍ୟ କରିପାରିବେ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିର ଏହା ଏକ ବଳିଷ୍ଠ ସଙ୍କେତ ବୋଲି ଜୟଶଙ୍କର କହିଛନ୍ତି। ରୁଷିଆରୁ ଭାରତ ଅଶୋଧିତ ତୈଳ ଆମଦାନି କରିବାକୁ ଜୟଶଙ୍କର ଦୃଢ଼ ସମର୍ଥନ କରିଥିଲେ। ଏହା ମୁଖ୍ୟତଃ ବଜାର ଶକ୍ତି ଦ୍ୱାରା ପରିଚାଳିତ ବୋଲି ସେ କହିଥିଲେ। ଶକ୍ତି, ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଉଦ୍ଦେଶ୍ୟରେ ଜର୍ମାନ ବହିର୍ବ୍ୟାପାର ମନ୍ତ୍ରୀ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି।

Share