
କୋପ୍ପାଲ,୮।୩ : କର୍ନାଟକର ହାମ୍ପି ନିକଟରେ ଜଣେ ୨୭ ବର୍ଷୀୟା ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ମହିଳାଙ୍କୁ ଦୁର୍ବୃତ୍ତମାନେ ଗଣବଳାତ୍କାର କରିବା ସହ ସେମାନଙ୍କ ସାଙ୍ଗରେ ଥିବା ୩ ପୁରୁଷ ପର୍ଯ୍ୟଟକଙ୍କୁ ମାଡ଼ମାରି ନିକଟସ୍ଥ କେନାଲକୁ ଫିଙ୍ଗିଦେଇଥିଲେ। ସେମାନଙ୍କ ମଧ୍ୟରୁ ଆମେରିକା ପର୍ଯ୍ୟଟକ ଡାନଆଲ୍ ଏବଂ ମହାରାଷ୍ଟ୍ରର ପଙ୍କଜ ପହଁରି ପଳାଇ ଆସିଥିବାବେଳେ ବିଭାଷ ନାଏକ ନାମକ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ବିଭାଷଙ୍କ ଘର କନ୍ଧମାଳରେ ବୋଲି ଜଣାପଡ଼ିଛି। ପୋଲିସ ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣଙ୍କୁ ଖୁବ୍ଶୀଘ୍ର ଧରିବା ପାଇଁ ତନାଘନା ଚଳାଇଛି। ଗିରଫ ଅଭିଯୁକ୍ତ ୨୧ ବର୍ଷୀୟ ମଲେଶ ଏବଂ ଚେତନ ସାଇ। ସେମାନଙ୍କ ଘର ଗଙ୍ଗାବଦୀ ସହରର ସାଇନଗର ହୋଇଥିବାବେଳେ ଉଭୟ ରାଜମିସ୍ତ୍ରି ଭାବେ କାମ କରୁଥିଲେ।
ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଛି।
ରାତ୍ରଭୋଜନ ପରେ ଇସ୍ରାଏଲୀ ମହିଳା ଓ ୩ ପୁରୁଷ ପର୍ଯ୍ୟଟକଙ୍କ ସହ ୨୯ ବର୍ଷୀୟ ହୋମ୍ଷ୍ଟେ ଅପରେଟର ସାନାପୁର ଲେକ୍ ନିକଟ ତୁଙ୍ଗଭଦ୍ରା କେନାଲ କୂଳରେ ବସି ଗିଟାର ବଜାଇ ସଙ୍ଗୀତ ଉପଭୋଗ କରୁଥିଲେ। ଏହି ସମୟରେ ୩ ଜଣ ମୋଟରସାଇକେଲରେ ଆସି ପେଟ୍ରୋଲ ପମ୍ପ୍ କେଉଁଠାରେ ଅଛି ବୋଲି ପଚାରିଥିଲେ। ପାଖରେ ପେଟ୍ରୋଲ ପମ୍ପ୍ ନାହିଁ ବୋଲି କହିବାରୁ ସେମାନେ ୧୦୦ ଟଙ୍କା ମାଗିଥିଲେ। ସେମାନେ ଅପରିଚିତ ହୋଇଥିବାରୁ ଟଙ୍କା ଦେବାକୁ ହୋମ୍ଷ୍ଟେ ଅପରେଟର ମନା କରିଦେଇଥିଲେ। ସେମାନେ ବାଧ୍ୟ କରିବାରୁ ଓଡ଼ିଆ ପର୍ଯ୍ୟଟକ ଜଣଙ୍କ ୨୦ ଟଙ୍କା ଦେଇଥିଲେ। ଏହା ପରେ ଅଭିଯୁକ୍ତମାନେ ପାଟିତୁଣ୍ଡ କରିବା ସହ ପଥରରେ ସେମାନଙ୍କ ମୁଣ୍ଡ ଛେଚିଦେବେ ବୋଲି ଧମକ ଦେଇଥିଲେ। ଏହା ସତ୍ତ୍ୱେ ଟଙ୍କା ଦେବାକୁ ପର୍ଯ୍ୟଟକମାନେ ମନା କରିବାରୁ କନ୍ନଡ ଏବଂ ତେଲୁଗୁରେ କଥା ହେଉଥିବା ଅଭିଯୁକ୍ତମାନେ ଗାଳିଗୁଲଜ କରିବା ସହ ୨ ମହିଳାଙ୍କୁ ବଳାତ୍କାର କରିଥିଲେ ଏବଂ ପୁରୁଷ ପର୍ଯ୍ୟଟକଙ୍କୁ କେନାଲ ମଧ୍ୟକୁ ଠେଲିଦେଇଥିଲେ। ଅଭିଯୁକ୍ତଙ୍କ ମାଡ଼ରେ ହୋମ୍ଷ୍ଟେ ଅପରେଟର ଗୁରୁତର ଆହତ ହୋଇଛନ୍ତି। ସେମାନେ ପୁରୁଷ ପର୍ଯ୍ୟଟକମାନଙ୍କୁ କେନାଲକୁ ଠେଲିଦେବା ପରେ ହୋମ୍ଷ୍ଟେ ଅପରେଟରଙ୍କ ପୋଷାକ ଖୋଲି ମାଡ଼ ମାରିବା ସହ ବଳାତ୍କାର କରିଥିଲେ। ଏଥିସହିତ ତାଙ୍କ ବ୍ୟାଗ୍ ଛଡ଼ାଇ ନେଇଥିଲେ। ଉକ୍ତ ବ୍ୟାଗ୍ରେ ୨ଟି ମୋବାଇଲ ଫୋନ୍ ଓ ନଗଦ ୯,୫୦୦ ଟଙ୍କା ଥିଲା। ଜଣେ ଅଭିଯୁକ୍ତ ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କୁ ଘୋଷାରି ନେଇ ବଳାତ୍କାର କରିଥିଲେ।
୩ ପୁରୁଷ ପର୍ଯ୍ୟଟକଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଥିବାବେଳେ ଓଡ଼ିଆ ପର୍ଯ୍ୟଟକ ବିଭାଷ ନିଖୋଜ ହୋଇଯାଇଥିଲେ। ଶନିବାର ସକାଳେ ତାଙ୍କ ମୃତଦେହ ମିଳିଥିବା ପୋଲିସ କହିଛି। ଅଭିଯୋଗ ଆଧାରରେ ଗଙ୍ଗାବତୀ ଗ୍ରାମାଞ୍ଚଳ ଥାନା ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଜବରଦସ୍ତ ଟଙ୍କା ଆଦାୟ, ଡକାୟତି, ଗଭୀର ଆଘାତ ଦେବା, ଗଣବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। ୨ ମହିଳା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।