ପେଟ୍ରୋଲ ଟେନଶନ ଶେଷ! ଜୁନ ୩ରେ ଲଞ୍ଚ୍‌ ହେବ ଦେଶର ପ୍ରଥମ ୧୦୦% ଇଥାନଲ ଚାଳିତ ବାଇକ୍‌, ଜାଣନ୍ତୁ କେତେ ରେଟ୍‌…

ନୂଆଦିଲ୍ଲୀ,୨।୬: ଯଦି ଆପଣ ପେଟ୍ରୋଲର ଆକାଶଛୁଆଁ ଦରକୁ ନେଇ ଚିନ୍ତିତ ଏବଂ ପ୍ରତିଦିନର ଯାତ୍ରା ଖର୍ଚ୍ଚ କମାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ଭାରତର ସବୁଠାରୁ ବଡ଼ ଦୁଇଚକିଆ ଯାନ ପ୍ରସ୍ତୁତକାରୀ କମ୍ପାନୀ ହିରୋ ମୋଟୋକର୍ପ (Hero MotoCorp) ଆସନ୍ତା ଜୁନ ୩ ତାରିଖରେ ଦେଶର ପ୍ରଥମ ୧୦୦ ପ୍ରତିଶତ ଇଥାନଲ (E100) ଦ୍ୱାରା ଚାଳିତ ଫ୍ଲେକ୍ସ-ଫ୍ୟୁଲ (Flex-Fuel) ମୋଟରସାଇକେଲ ଲଞ୍ଚ କରିବାକୁ ଯାଉଛି।

ଏହି ବାଇକ କେବଳ ପରିବେଶକୁ ସ୍ୱଚ୍ଛ ରଖିବାରେ ସାହାଯ୍ୟ କରିବ ନାହିଁ, ବରଂ ଗ୍ରାହକଙ୍କ ପକେଟ ଉପରୁ ପେଟ୍ରୋଲର ମହଙ୍ଗା ବୋଝକୁ ସାରା ଜୀବନ ପାଇଁ ହଟାଇ ଦେବ। ନୂଆଦିଲ୍ଲୀରେ ଆୟୋଜିତ ଏକ ସୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଉପସ୍ଥିତିରେ ଏହି ବାଇକ୍‌କୁ ଲଞ୍ଚ କରିବେ।

ବର୍ତ୍ତମାନ ଭାରତୀୟ ବଜାରରେ ଚାଲୁଥିବା ଗାଡ଼ିଗୁଡ଼ିକରେ ସର୍ୱାଧିକ ୨୦% ଇଥାନଲ ମିଶ୍ରିତ ପେଟ୍ରୋଲ (E20) ବ୍ୟବହାର କରାଯାଉଛି। କିନ୍ତୁ ହିରୋର ଏହି ନୂଆ ବାଇକ ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ ଇଥାନଲରେ ଚାଲିବ। ବଜାରରେ ପୂର୍ୱରୁ ସୁଜୁକି ଏବଂ ହୋଣ୍ଡା କମ୍ପାନୀର କିଛି ଫ୍ଲେକ୍ସ-ଫ୍ୟୁଲ ଗାଡ଼ି ଅଛି, କିନ୍ତୁ ସେଗୁଡ଼ିକ କେବଳ ୮୫% ଇଥାନଲ (E85) ସପୋର୍ଟ କରନ୍ତି। ହିରୋ ପ୍ରଥମ କମ୍ପାନୀ ଭାବେ ୧୦୦% ଇଥାନଲ ବାଇକ ଆଣି ବଜାରରେ ଇତିହାସ ସୃଷ୍ଟି କରିବାକୁ ଯାଉଛି। ପେଟ୍ରୋଲ ତୁଳନାରେ ଇଥାନଲର ଦାମ ଯଥେଷ୍ଟ କମ ହୋଇଥିବାରୁ ଏହା ଦ୍ୱାରା ଗାଡ଼ି ଚଲାଇବା ଖର୍ଚ୍ଚ ପ୍ରାୟ ଅଧା ହୋଇଯିବ।

ହିରୋ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ ଏହି ନୂଆ ମୋଟରସାଇକେଲର ନାମ କିମ୍ୱା ଦାମ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। କିନ୍ତୁ ସୂତ୍ର ଅନୁଯାୟୀ, କମ୍ପାନୀର ଦୁଇଟି ସବୁଠାରୁ ଜନପ୍ରିୟ ଏବଂ ଭରସାଯୋଗ୍ୟ ମଡେଲ ‘ହିରୋ ସ୍ପ୍ଲେଣ୍ଡର’ (Splendor) କିମ୍ୱା ‘ଏଚଏଫ ଡିଲକ୍ସ’ (HF Deluxe)ର ପ୍ଲାଟଫର୍ମ ଉପରେ ଆଧାର କରି ଏହାକୁ ବଜାରକୁ ଅଣାଯାଇପାରେ। ଯଦି ଏହି ମଧ୍ୟବିତ୍ତ ଶ୍ରେଣୀର ବାଇକରେ ଏହି ଟେକ୍ନୋଲୋଜି ଆସେ, ତେବେ ଦେଶର କୋଟି କୋଟି ସାଧାରଣ ଜନତା ଏବଂ ଗ୍ରାମାଞ୍ଚଳର ଗ୍ରାହକମାନେ ସବୁଠାରୁ ଅଧିକ ଲାଭବାନ ହେବେ।

କେନ୍ଦ୍ର ସରକାର ଗାଡ଼ି ଗୁଡ଼ିକରେ ଇଥାନଲ ବ୍ୟବହାରକୁ କ୍ରମାଗତ ଭାବେ ପ୍ରୋତ୍ସାହନ ଦେଉଛନ୍ତି। ଏହା ଦ୍ୱାରା ବିଦେଶରୁ ମହଙ୍ଗା ଅଶୋଧିତ ତେଲ (Crude Oil) ଆମଦାନୀ ହ୍ରାସ ପାଇବ ଏବଂ ଭାରତର ବୈଦେଶିକ ମୁଦ୍ରା ସଞ୍ଚୟ ହେବ। ଏଥିସହିତ ଇଥାନଲ ସମ୍ପୂର୍ଣ୍ଣ କୃଷିଜାତ ଦ୍ରବ୍ୟ (ଯେପରିକି ଆଖୁ ଓ ମକା) ରୁ ପ୍ରସ୍ତୁତ ହେଉଥିବାରୁ ଏହାଦ୍ୱାରା ଦେଶର ଚାଷୀମାନଙ୍କର ମଧ୍ୟ ବଡ଼ ଆର୍ଥିକ ଉନ୍ନତି ହେବ। କମ୍ପାନୀର ସିଇଓଙ୍କ କହିବା ଅନୁଯାୟୀ, କେବଳ ଇଲେକ୍ଟ୍ରିକ ଗାଡ଼ି (EV) ଉପରେ ର୍ନିଭର ନକରି ଫ୍ଲେକ୍ସ-ଫ୍ୟୁଲ ଭଳି ବିକଳ୍ପ ଉପରେ କାମ କରିବା ଭାରତ ପାଇଁ ଅଧିକ ସହଜ ଏବଂ ବ୍ୟବହାରିକ ଅଟେ।

Share