ବର୍ମିଂହାମ୍,୧୫ା୭: ଚଳିତ ଇଂଲଣ୍ଡ ଟୁର୍ରେ ଲଗାତର ୪ ପରାଜୟ ପରେ ମଙ୍ଗଳବାର ଭାରତୀୟ ଦଳ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅକ୍ଷର ପଟେଲଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ ବଳରେ ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍ରେ ଭାରତ ୬ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ୧୬ ତାରିଖରେ କାର୍ଡିଫ୍ଠାରେ ଖେଳାଯିବ।
ବ୍ୟାଟିଂ କରିଥିବା ଇଂଲଣ୍ଡକୁ ବେନ ଡକେଟ(୪୩ ରନ, ୬ ଚୌକା ଓ ୨ ଛକା) ଓ ଜେକବ ବେଥେଲ (୧୪) ୬୧ ରନର ଆରମ୍ଭ ପ୍ରଦାନ କରିଥିଲେ। କିନ୍ତୁ ୧୩ତମ ଓଭରରେ ଗ୍ରୁନୁର ବ୍ରାର ଉଭୟ ଓପ୍ନରଙ୍କୁ ପାଭିଲିଅନ ପଠାଇଦେଇଥିଲେ। ଏହାପରେ ଦଳ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। ଏକଦା ୧୨ ଓଭରରେ ବିନା ଉଇକେଟରେ ୬୧ ରନ୍ କରିଥିବା ଇଂଲଣ୍ଡ ୨୨ ଓଭର ସୁଦ୍ଧା ୧୦୭ ରନରେ ୬ ଉଇକେଟ ହରାଇଥିଲା। ଏଭଳି ସ୍ଥିତିରେ ଅଭିଜ୍ଞ ଜୋ ରୁଟ୍ ଓ ଲିଆମ ଡସନ ସପ୍ତମ ଉଇକେଟରେ ୧୨୧ ରନ ଯୋଡ଼ିଥିଲେ। ଡସନ ୬ ଚୌକା ଓ ୧ ଛକା ସହିତ ୬୮ ରନ କରି ୪୪ତମ ଓଭରରେ ଆଉଟ୍ ହୋଇଥିଲେ। ଏହାପରେ ୩୦ ରନ୍ ମଧ୍ୟରେ ଘରୋଇ ଦଳ ତା’ର ବଳକା ୩ ଉଇକେଟ ହରାଇଥିଲା। ଫଳରେ ଇଂଲଣ୍ଡ ୪୭.୫ ଓଭରରେ ୨୫୮ ରନ କରି ଅଲଆଉଟ୍ ହୋଇଯାଇଥିଲା। ରୁଟ୍ ୭୬ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଭାରତ ପାଇଁ ଅକ୍ଷର ପଟେଲ ୪ ଉଇକେଟ ନେଇଥିବା ବେଳେ ଗ୍ରୁନୁର ବ୍ରାର ଓ ପ୍ରସିଦ୍ଧ କ୍ରିଷ୍ଣା ୨ଟି ଲେଖାଏ ଉଇକେଟ ହାତେଇଥିଲେ। ଜବାବରେ ଭାରତ ବ୍ୟାଟିଂ ଆରମ୍ଭରୁ ଦୁଇ ସିନିୟର ବ୍ୟାଟର ରୋହିତ ଶର୍ମା(୧୧) ଓ ବିରାଟ କୋହଲି (୫)ଙ୍କ ଉଇକେଟ ହରାଇଥିଲା। ଅଧିନାୟକ ଗିଲ୍ ଓ ଶ୍ରେୟସ ଆୟାର ତୃତୀୟ ଉଇକେଟରେ ୧୦୧ ରନ ଯୋଡ଼ିଥିଲେ। ହେଲେ ୧୧ ଚୌକା ଓ ୧ ଛକା ସହିତ ୮୦ ରନ୍ରେ ଖେଳୁଥିବା ଗିଲ୍ ରିଟାୟର୍ଡ ହର୍ଟ ହୋଇ ପାଭଲିଅନ ଫେରିଯାଇଥିଲେ। ଆୟାର (୩୫) ରନ ଆଉଟ୍ ହୋଇଥିବା ବେଳେ ଲୋକେଶ ରାହୁଲ (୧) ଫେଲ୍ ମାରିଥିଲେ। ଏହାପରେ ଅକ୍ଷର ପଟେଲ ଓ ଓ୍ବାଶିଂଟନ ସୁନ୍ଦର ଅବିଭାଜିତ ପଞ୍ଚମ ଉଇକେଟରେ ୧୦୨ ରନ ଯୋଡ଼ି ଦଳକୁ ଜିତାଇଥିଲେ। ଭାରତ ୪୫.୨ ଓଭରରେ ୪ ଉଇକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା। ଅକ୍ଷର ୫୭ (୫ ଚୌକା ଓ ୧ ଛକା) ଓ ସୁନ୍ଦର ୫୨ (୪ ଚୌକା ଓ ୧ ଛକା) ରନ୍କରି ଅପରାଜିତ ରହିଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ: ୪୭.୫ ଓଭରରେ ୨୫୮/ଅଲଆଉଟ୍ (ଜୋ ରୁଟ୍-୭୬, ଲିଆମ ଡସନ-୬୮, ବେନ ଡକେଟ-୪୩ , ଅକ୍ଷର ପେଟଲ-୪/୬୨, ପ୍ରସିଦ୍ଧ କ୍ରିଷ୍ଣା-୨/୫୦, ଗୁରନୁର ବ୍ରାର-୨/୬୦)। ଭାରତ: ୪୫.୨ ଓଭରରେ ୨୬୨/୪ (ଶୁବମନ ଗିଲ୍-୮୦, ଅକ୍ଷର ପଟେଲ.-୫୭*, ଓ୍ବାଶିଂଟନ ସୁନ୍ଦର-୫୨*, ଜୋଶ୍ ଟଙ୍ଗ୍-୧/୫୦)।