ଦୁବାଇ,୮ା୩: ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମୁକାବିଲାରେ ଭାରତକୁ ଫେଭରାଇଟ ଭାବେ ବାଛିଛନ୍ତି। ତାଙ୍କ ମତରେ ନ୍ୟୁଜିଲାଣ୍ଡ ଏକ ଶକ୍ତିଶାଳୀ ଦଳ ହୋଇଥିବାରୁ ଭାରତକୁ ସମାନ ଗ୍ରାଉଣ୍ଡରେ ଖେଳିବାର ଖୁବ କମ ଫାଇଦା ମିଳିବ। ସମସ୍ତ ମ୍ୟାଚ ଦୁବାଇରେ ଖେଳିଥିବା ଭାରତ ଅପରାଜେୟ ରେକର୍ଡ ଓ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।
କୌଣସି ଦଳ ଭାରତକୁ ହରାଇ ପାରିବ, ତେବେ ତାହା ହେଉଛି ନ୍ୟୁଜିଲାଣ୍ଡ। ଏଣୁ ମୋ ମତରେ ଭାରତ ଫେଭରାଇଟ ଭାବେ ଅଭିଯାନ ଆରମ୍ଭ କରିବ ବୋଲି ଶାସ୍ତ୍ରୀ ‘ଦି ଆଇସିସି ରିଭ୍ୟୁ’ରେ କହିଛନ୍ତି। ଏତଦ୍ବ୍ୟତୀତ ସେ ପ୍ରକାଶ କରିଛନ୍ତି ଯେ, ବର୍ତ୍ତମାନ ବିରାଟ କୋହଲି ଭଲ ପର୍ମରେ ଅଛନ୍ତି। ଯଦି ଫର୍ମରେ ଥିବା ଏଭଳି ଖେଳାଳିଙ୍କୁ ପ୍ରଥମ ୧୦ ରନ୍ କରିବାକୁ ଦିଆଯାଏ, ତେବେ ପ୍ରତିପକ୍ଷ ଦଳର ସମସ୍ୟା ବୃଦ୍ଧି ପାଇବ।
ନ୍ୟୁଜିଲାଣ୍ଡ ଦଳର କେନ ଓ୍ବିଲିୟମସନ ଭାରତକୁ ସମସ୍ୟା ପକାଇ ପାରନ୍ତି। ତାଙ୍କ ସହିତ ରାଚିନ ରବିନ୍ଦ୍ର ଅଛନ୍ତି, ଯିଏକି ଜଣେ ଚମତ୍କାର ଖେଳାଳି। ଏଭଳି ଖେଳାଳିଙ୍କୁ ପ୍ରଥମ ୧୦ରୁ ୧୫ ରନ କରିବାକୁ ଦେଲେ ସେମାନେ ଅତ୍ୟଧିକ ବିପଜ୍ଜନକ ହୋଇଯାଆନ୍ତି। ୨୫ ବର୍ଷୀୟ ରବୀନ୍ଦ୍ର ଏତେ ଛୋଟ ବୟସରେ ଆଇସିସି ଦିନିକିଆ ଟୁର୍ନାମେଣ୍ଟରେ ୫ ଶତକ ହାସଲ କରିସାରିଛନ୍ତି। ସେ ଯେଉଁ ଭଳି କ୍ରିଜରେ ଖେଳନ୍ତି, ତାହା ମୋତେ ଖୁବ ପସନ୍ଦ। ତାଙ୍କ ପାଖରେ ଫ୍ରଣ୍ଟ ଫୁଟ, ବ୍ୟାକ ଫୁଟ, କଟ ଓ ସ୍ବିପ ଭଳି ଭଲ ଶଟ ରହିଛି। ନ ହେଲେ ବଡ଼ ଟୁର୍ନାମେଣ୍ଟରେ ଶତକ କରିବା ଏତେ ସହଜ ନୁହେଁ। ମୋ ମତରେ ସେ ଖୁବ ପ୍ରତିଭାବାନ ଖେଳାଳି।

