ନୂଆଦିଲ୍ଲୀ,୨୩ା୧୧: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଖୁବ୍ଶୀଘ୍ର ବ୍ରସେଲ୍ସରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ସ୍ବାକ୍ଷର ହେବ। ଏନେଇ ଭାରତରେ ଅବସ୍ଥାପିତ ୟୁରୋପୀୟ ସଂଘ ରାଷ୍ଟ୍ରଦୂତ ଜିନ୍-ଏରିକ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବରରେ ତାଙ୍କର ବ୍ରସେଲ୍ସ ଗସ୍ତ ସମୟରେ ଏହି ଚୁକ୍ତିନାମାରେ ସ୍ବାକ୍ଷର କରିବେ ଏବଂ ଏହା ୨୦୨୭ରୁ କାର୍ଯ୍ୟକାରୀ ହେବ। ୟୁରୋପୀୟ ସଂଘ ପକ୍ଷରୁ ଏହି ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଥିଲାବେଳେ ୟୁରୋପୀୟ କମିଶନ ଏହି ଚୁକ୍ତିନାମାରେ ସ୍ବାକ୍ଷର ଏବଂ ଏହାକୁ ଚୂଡ଼ାନ୍ତ କରିବା ପାଇଁ ୟୁରୋପୀୟ ସଂଘ ପରିଷଦର ଅନୁମତି ମାଗିଛନ୍ତି। ଏଥିସହିତ ଶୁଳ୍କ ତାଲିକା ପାଇଁ ଚୂଡ଼ାନ୍ତ ଆଇନଗତ ଦସ୍ତାବିଜ ପଠାଇଛନ୍ତି।
ଏହି ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଭାରତରୁ ପଠାଯାଉଥିବା ୯୩ ପ୍ରତିଶତ ସାମଗ୍ରୀ ବିନା କୌଣସି ଶୁଳ୍କରେ ୟୁରୋପୀୟ ବଜାରରେ ପ୍ରବେଶ କରିପାରିବ। ଅନ୍ୟପକ୍ଷରେ ଭାରତୀୟ ଗ୍ରାହକମାନେ ୟୁରୋପରୁ ଆମଦାନୀ ହେଉଥିବା ବିଳାସପୂର୍ଣ୍ଣ କାର୍ ଏବଂ ମଦ (ୱାଇନ) ପାଇଁ କମ ମୂଲ୍ୟ ଦେବେ। ଏହି ଚୁକ୍ତିକୁ ‘ମଦର ଅଫ୍ ଅଲ୍ ଡିଲ୍’ବୋଲି କୁହାଯାଉଛି। ଏହି ଚୁକ୍ତିନାମା ନେଇ ୨୦ ବର୍ଷରୁ ଅଧିକ ସମୟ ଧରି ଆଲୋଚନା ଚାଲିଥିଲା। ଏହା କାର୍ଯ୍ୟକାରୀ ହେଲେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାରତ ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ସଂଘ ଭାବେ ୟୁରୋପୀୟ ସଂଘ ସହିତ ଯୋଡ଼ି ହେବ, ଯାହା ପ୍ରାୟ ୨୦୦ କୋଟି ଲୋକଙ୍କ ପାଇଁ ଏକ ବଜାର ସୃଷ୍ଟି କରିବ। ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀ ଏବଂ ୨୭-ସଦସ୍ୟ ବିଶିଷ୍ଟ ଏହି ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଚଳିତ ବର୍ଷ ଜାନୁଆରୀ ୨୭ରେ ଆଲୋଚନା କରାଯାଇ ଆବଶ୍ୟକ ପ୍ରକ୍ରିୟା ଶେଷ କରାଯାଇଥିଲା।
ଏହି ଦୁଇ ସହଯୋଗୀ ଅଂଶୀଦାର ମିଳିତ ଭାବରେ ବିଶ୍ୱ ଜିଡିପିର ଏକ ଚତୁର୍ଥାଂଶ ଯୋଗଦାନ ଦେଇଥାନ୍ତି। ଫଳରେ ବିଶ୍ୱର ପ୍ରାୟ ୩୩ ଟ୍ରିଲିୟନ ଡଲାର ବାଣିଜି୍ୟକ କାରବାର ମଧ୍ୟରୁ ପ୍ରାୟ ୧୧ ଟ୍ରିଲିୟନ ଡଲାର ପରିଚାଳନା ହେବ।