ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ବାଧ୍ୟତାମୂଳକ ନିୟମ ପ୍ରତ୍ୟାହୃତ

ନୂଆଦିଲ୍ଲୀ,୧୯ା୪: ଆପଲ୍‌, ସାମ୍‌ସଙ୍ଗ ଓ ଅନ୍ୟାନ୍ୟ ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀର ବିରୋଧ ପରେ ଭାରତ ସରକାର ସମସ୍ତ ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ସଂଯୋଗ କରିବା ଯୋଜନାରୁ ଓହରିଯାଇଛନ୍ତି। ଭାରତର ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ଶୁକ୍ରବାର ଏହା ସ୍ପଷ୍ଟ କରିଛି।
ଭାରତରେ ବିକ୍ରି ହେଉଥିବା ସମସ୍ତ ନୂଆ ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପୂର୍ୱରୁ ସଂଯୋଗ କରିବା ଚିନ୍ତାଧାରା ଉପରେ ଆପଲ୍‌, ଗୁଗଲ ଆଦି ସ୍ମାର୍ଟଫୋନ୍‌ ନିର୍ମାତାଙ୍କ ସହ ଆଲୋଚନା କରିବାକୁ ୟୁଆଇଡିଏଆଇ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ କହିଥିଲା। ଅଙ୍ଗୁଳି ଛାପ ଓ ଆଖି ସ୍କାନ୍‌ ଥାଇ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ୱର ଭାରତର ୧୩୪ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କର ଏକ ଡିଜିଟାଲ ପରିଚୟ, ଯାହାକୁ ବ୍ୟାଙ୍କିଙ୍ଗ୍‌, ଟେଲିକମ୍‌ ଯାଞ୍ଚ ଆଦି ବହୁ ସେବାରେ ବ୍ୟବହାର କରାଯାଇଥାଏ। ତେବେ ଉକ୍ତ ପ୍ରସ୍ତାବ ଉପରେ ସମୀକ୍ଷା କରିବା ପରେ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଆପ୍‌କୁ ବାଧ୍ୟତାମୂଳକ କରିବା ଯୋଜନାରେ ଆଗକୁ ନ ବଢ଼ିବାକୁ ନିଷ୍ପତ୍ତି ନେଇଛି। ଯୋଜନାକୁ ବାଦ୍‌ ଦେବାର ପ୍ରକୃତ କାରଣ ସମ୍ପର୍କରେ ୟୁଆଇଡିଏଆଇ ଜଣାଇନାହିଁ। ତେବେ ଇଲେକ୍ଟ୍ରୋନିକ୍ସ ଏବଂ ସ୍ମାର୍ଟଫୋନ୍‌ ଶିଳ୍ପର ଷ୍ଟେକ୍‌ହୋଲ୍ଡରମାନଙ୍କ ସହ ବିଚାର ବିମର୍ଶ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

Share