ଚାଇନା ବିରୋଧୀ ପ୍ରସ୍ତାବ ଉପରେ ଭୋଟ ଦେଲାନି ଭାରତ

ଜେନେଭା,୭।୧୦: ଚାଇନାର ଜିନ୍‌ଜିଆଙ୍ଗ୍‌ରେ ଉଇଘର ମୁସଲମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଆସୁଛି। ଏହି ମାମଲାରେ ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)ରେ ଚାଇନା ବିରୋଧରେ ଆଗତ ପ୍ରସ୍ତାବ ଉପରେ ଭାରତ ଭୋଟ ଦେଇ ନାହିଁ।
ସୂଚନାଯୋଗ୍ୟ, ଚାଇନାରେ ଉଇଘର ମୁସଲମାନମାନଙ୍କୁ ଗତ କିଛିବର୍ଷ ଧରି ଚରମ ନିର୍ଯାତନା ଦିଆଯାଉଥିବା ଏବଂ ପ୍ରାୟ ୧୦ ଲକ୍ଷରୁ ଅଧିକ ମୁସଲମାନମାନଙ୍କୁ ବନ୍ଦୀ କରି ରଖାଯାଇଥିବା ଅଭିଯୋଗ ହୋଇଆସୁଛି। କିନ୍ତୁ ଏହାକୁ ଅସ୍ବୀକାର କରୁଛି ଚାଇନା। ଏହି ଘଟଣା ଉପରେ ମାନବ ଅଧିକାର ଗୋଷ୍ଠୀ ବର୍ଷ ବର୍ଷ ଧରି ସ୍ବର ଉତ୍ତୋଜନ କରିଆସୁଛନ୍ତି। ଏହି ପ୍ରସଙ୍ଗରେ ବିତର୍କ ପାଇଁ ଜାତିସଂଘ ମାନବାଧିକାର ପରିଷଦରେ ଏକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା। ଏହି ପ୍ରସ୍ତାବ କାନାଡା, ଡେନମାର୍କ, ଫିନ୍‌ଲାଣ୍ଡ, ଆଇସଲାଣ୍ଡ, ନରୱେ, ସ୍ବିଡେନ, ବ୍ରିଟେନ ଏବଂ ଆମେରିକାକୁ ନେଇ ଗଠିତ ଏକ କୋର୍‌ ଗ୍ରୁପ ଦ୍ବାରା ଉପସ୍ଥାପିତ ହୋଇଥିଲା। ୪୭ ସଦସ୍ୟ ବିଶିଷ୍ଟ ପରିଷଦରେ ପ୍ରସ୍ତାବ ସପକ୍ଷରେ ୧୭ଟି ଭୋଟ ପଡିଥିବା ବେଳେ ବିରୋଧରେ ୧୯ଟି ଭୋଟ ମିଳିଥିଲା।

Share