ଇତିହାସ ପାଲଟିଲା ଲଣ୍ଡନର ଇଣ୍ଡିଆ କ୍ଲବ…

ଲଣ୍ଡନ,୧୭।୯ : ଭାରତୀୟ ସ୍ବାଧୀନତା ସଂଗ୍ରାମର ଇତିହାସ ସହ ଜଡିତ ଏକ ଅଧ୍ୟାୟ ୧୭ ସେପ୍ଟେମ୍ବରରେ ଶେଷ ହୋଇଛି। ଲଣ୍ଡନ ସ୍ଥିତ ‘ଇଣ୍ଡିଆ କ୍ଲବ’ ରବିବାର ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ଏହି କ୍ଲବ ଲଣ୍ଡନରେ ଥାଇପାରେ, କିନ୍ତୁ ଏହାର ମୂଳ ଭାରତ ସହିତ ସଂଯୁକ୍ତ ଥିଲା।

ଭାରତୀୟ ସ୍ବାଧୀନତା ଆନ୍ଦୋଳନ ସହିତ ଜଡିତ ଏହି କ୍ଲବ ଏକଦା ନିଜ ଦେଶଠାରୁ ଦୂରରେ ଭାରତୀୟଙ୍କ ଦ୍ୱିତୀୟ ଘର ଥିଲା। ଦେଶର ସ୍ବାଧୀନତା ପାଇଁ ସଂଗ୍ରାମ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ସମାବେଶ ପାଇଁ ଇଣ୍ଡିଆ କ୍ଲବ ଏକ ପ୍ରମୁଖ କେନ୍ଦ୍ର ଥିଲା।

ଏହି କ୍ଲବର ପ୍ରତିଷ୍ଠାତା ସଦସ୍ୟ କୃଷ୍ଣ ମେନନ ବ୍ରିଟେନରେ ସ୍ବାଧୀନ ଭାରତର ପ୍ରଥମ ହାଇ କମିଶନର ହୋଇଥିଲେ।
ଇଣ୍ଡିଆ କ୍ଲବ ବ୍ରିଟେନର ସର୍ବପ୍ରଥମ ଭାରତୀୟ ରେଷ୍ଟୁରାଣ୍ଟ ମଧ୍ୟରୁ ଗୋଟିଏ ଥିଲା ଏବଂ ପରେ ବ୍ରିଟିଶ ଦକ୍ଷିଣ ଏସୀୟ ସମ୍ପ୍ରଦାୟ ପାଇଁ ଏକ କେନ୍ଦ୍ର ପାଲଟିଥିଲା। କ୍ଲବ ମ୍ୟାନେଜର ଫିରୋଜା ମାର୍କର କୁହନ୍ତି, ଯେତେବେଳେ ଲୋକମାନେ ଜାଣିବାକୁ ପାଇଲେ ଆମେ ସେପ୍ଟେମ୍ବର ୧୭ ରେ ବନ୍ଦ କରୁଛୁ, ସେତେବେଳେ ଏଠାରେ ବହୁ ସଂଖ୍ୟାରେ ଲୋକ ଆସୁଥିଲେ। ସେ କହିଛନ୍ତି ଆମେ ଏହାକୁ ଏଠାରେ ବନ୍ଦ କରୁଛୁ, କିନ୍ତୁ ନିକଟସ୍ଥ ଏକ ନୂତନ ସ୍ଥାନ ଖୋଜୁଛୁ ଯେଉଁଠାରେ ଆମେ ଇଣ୍ଡିଆ କ୍ଲବ ସ୍ଥାନାନ୍ତର କରିପାରିବୁ।

Share