Categories: ଜାତୀୟ

ପିପି-୧୫ରୁ ପଛକୁ ହଟିଲେ ଭାରତ-ଚାଇନା ସୈନ୍ୟବାହିନୀ…

ଲେହ, ୧୩।୯ : ଭାରତ ଏବଂ ଚାଇନା ସୈନ୍ୟବାହିନୀ ପୂର୍ବ ଲଦାଖର ବିବାଦୀୟ ଅଞ୍ଚଳ ଗୋଗ୍ରା-ହଟ୍ସପ୍ରିଙ୍ଗ ଅଞ୍ଚଳରେ ପାଟ୍ରୋଲିଂ ପୋଷ୍ଟ -୧୫(ପିପି-୧୫)ରୁ ପଛକୁ ହଟିଛନ୍ତି। ସରକାରୀ ସୂତ୍ର ଅନୁଯାୟୀ, ଉଭୟ ସୈନ୍ୟବାହିନୀର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି ଏବଂ ବର୍ତ୍ତମାନର ପରିସ୍ଥିତିକୁ ମଧ୍ୟ ସମୀକ୍ଷା କରାଯାଉଛି। ସୂଚନାଯୋଗ୍ୟ ଯେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ସୋମବାର ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଥିଲେ ଯେ ପାଟ୍ରୋଲିଂ ୧୫ ରୁ ସୈନ୍ୟ ପ୍ରତ୍ୟାହାର ଏପର୍ଯ୍ୟନ୍ତ ସମୀକ୍ଷା କରାଯାଇ ନାହିଁ।

ସୂଚନାଯୋଗ୍ୟ ଯେ ପାଙ୍ଗଙ୍ଗ ହ୍ରଦ ଅଞ୍ଚଳରେ ହିଂସାତ୍ମକ ସଂଘର୍ଷ ପରେ ୫ ମେ ୨୦୨୦ ରେ ପୂର୍ବ ଲଦାଖ ସୀମାରେ ବିବାଦ ଆରମ୍ଭ ହୋଇଥିଲା। ଚାଇନା ସୈନିକମାନେ ଲଦାଖ ସେକ୍ଟରରେ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ଏହି ସଂଘର୍ଷ ଘଟିଥିଲା। ଏହା ପରେ ଉଭୟ ପକ୍ଷ ଧୀରେ ଧୀରେ ଏହି ଅଞ୍ଚଳରେ ହଜାର ହଜାର ସଶସ୍ତ୍ର ସୈନିକ ନିୟୋଜିତ କରିଥିଲେ। ସେବେଠାରୁ ପାଟ୍ରୋଲିଂ ପଏଣ୍ଟ ୧୫ ନିକଟରେ ଭାରତ-ଚାଇନା ସୈନ୍ୟ ପରସ୍ପର ବିପକ୍ଷରେ ମୁତୟନ ହୋଇଥିଲେ। ବର୍ତ୍ତମାନ ଭାରତ ଏବଂ ଚାଇନା ପାଙ୍ଗଙ୍ଗ ସୋ ହ୍ରଦର ଉଭୟ ପାର୍ଶ୍ୱରୁ ସୈନିକମାନଙ୍କୁ ହଟାଇ ଦେଇଛନ୍ତି।

ପିପି-୧୫ ରୁ ଭାରତୀୟ ଏବଂ ଚାଇନା ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସେପ୍ଟେମ୍ବର ୮ ରେ ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ୯ ରେ, ଚାଇନା ସୈନ୍ୟବାହିନୀ ଗୋଗ୍ରା-ହଟ୍ସପ୍ରିଙ୍ଗ୍ସ ପାଟ୍ରୋଲିଂ ପଏଣ୍ଟ ୧୫ରୁ ପ୍ରତ୍ୟାହାର ଆରମ୍ଭ କରିବାର ଘୋଷଣା କରିବାର ଗୋଟିଏ ଦିନ ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହା ଉପରେ ମନ୍ତବ୍ୟ ଦେଇଥିଲେ। ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ ଚୁକ୍ତିନାମା ଅନୁଯାୟୀ ଏହି ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସେପ୍ଟେମ୍ବର ୮ତାରିଖ ପୂର୍ବାହ୍ନ ୮ଟା ୩୦ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୨ ସୁଦ୍ଧା ଶେଷ ହେବ।

Share