ଭାରତକୁ ଧମକ ଦେଉଛି ଚାଇନା ଗଣମାଧ୍ୟମ!

ବେଜିଂ,୧।୯: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ବଢିବାରେ ଲାଗିଛି। ତେବେ ଏହାକୁ କମ୍‌ କରିବାକୁ ବ୍ରିଗେଡ କମାଣ୍ଡର ସ୍ତରରେ ଆଲୋଚନା କରାଯାଉଛି। ଅନୁମାନ କରାଯାଉଛି କି ଏହି ସମୟରେ ପୋଙ୍ଗୟାଙ୍ଗ ହ୍ରଦର ଦକ୍ଷିଣ ଉପକୂଳର ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବ। ଏହା ପୂର୍ବରୁ ଅଗଷ୍ଟ ୮ରେ ଭାରତ-ଚାଇନା ମଧ୍ୟରେ ମେଜର-ଜେନରାଲ ସ୍ତରରେ କଥାବାର୍ତ୍ତା ହୋଇଥିଲା। ଏବେ କିନ୍ତୁ ଚାଇନାର ସରକାରୀ ମୁଖପତ୍ର ଗ୍ଲୋବାଲ ଟାଇମ୍ସର ଏକ ସମ୍ପାଦକୀୟରେ କୁହାଯାଇଛି ଯଦି ଭାରତ ଚାଇନା ବିରୋଧରେ କୌଣସି ପଦକ୍ଷେପ ନିଏ ତେବେ ଅତୀତରେ ଭାରତୀୟ ସେନା ଚାଇନା ଦ୍ୱାରା ଯେତିକି କ୍ଷତିଗ୍ରସ୍ତ ହୋଇଥିଲେ ଏଥର ତା’ଠାରୁ ଅଧିକ ହେବ। କାରଣ ଚାଇନା ସେନା ନିକଟରେ ସେତିକି କ୍ଷମତା ରହିଛି। ଗ୍ଲୋବାଲ ଟାଇମ୍ସରେ କୁହାଯାଇଛି କି ଭାରତ ଚାଇନା ସେନାଙ୍କ ଗତିବିଧିକୁ ଅଟକାଇ ଦେଇଛି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି କି ପ୍ରଥମେ ଭାରତ ସଂଘର୍ଷ ଆରମ୍ଭ କରୁଛି। ଅନ୍ୟପଟେ କରୋନା ଭଳି ଘରୋଇ ସମସ୍ୟାକୁ ନେଇ ଭାରତ ସଂଘର୍ଷ କରୁଥିବା ବେଳେ ଏବେ ଭାରତର ଅର୍ଥ ବ୍ୟବସ୍ଥା ବିଗିଡି ଯାଇଛି। ତେଣୁ ଭାରତ ସେ ଦିଗରୁ ଧ୍ୟାନ ହଟାଇ ଚାଇନା ସହ ସୀମା ବିବାଦରେ ଲାଗିପଡିଛି ବୋଲି ଉକ୍ତ ସମ୍ପାଦକୀୟରେ ଉଲ୍ଳେଖ କରାଯାଇଥିବା ଜଣାପଡିଛି। ଭାରତ-ଚାଇନା ସୀମା ବିବାଦକୁ ନେଇ ଚାଇନା କହିଛି ଭାରତ ଯଦି ତା’ର ସେନା ଶକ୍ତି ଦେଖାଇବାକୁ ଚାହୁଁଛି ତେବେ ଚାଇନା ମଧ୍ୟ ଭାରତର ୧୯୬୨ରୁ ଅଧିକ କ୍ଷତି କରିବାକୁ ପ୍ରସ୍ତୁତ ରହିଛି।

Share