Categories: ଜାତୀୟ

ଭାରତ-ଚାଇନା ସୀମା ବିବାଦ ଦୁଇ ଦେଶର ସମ୍ପର୍କର ଆଧାର ନୁହେଁ: ଗ୍ଲୋବାଲ ଟାଇମ୍ସ…

ଲେହ,୧୭।୮ : ଗତ ତିନି ବର୍ଷ ଧରି ଭାରତ ଏବଂ ଚୀନ ମଧ୍ୟରେ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି)ରେ ତିକ୍ତତା ଜାରି ରହିଛି। ଏହି ଉତ୍ତେଜନାକୁ ସମାଧାନ କରିବା ପାଇଁ, ଅଗଷ୍ଟ ୧୩ ଏବଂ ୧୪ ରେ, ୧୯ତମ ଥର ପାଇଁ, ଦୁଇ ଦେଶର ସେନା କମାଣ୍ଡରମାନେ ପୂର୍ବ ଲଦାଖର ଚୁସୁଲରେ ଭେଟିଥିଲେ। ଏଥର ଆଲୋଚନା ସମ୍ପର୍କରେ ଚାଇନା ପକ୍ଷରୁ ଏକ ସକରାତ୍ମକ ପ୍ରତିକ୍ରିୟା ଦିଆଯାଇଛି। ଯେତେବେଳେ କି ଦେଶର ମିଡିଆ ଅନ୍ୟ କିଛି କହୁଛି।

ଚାଇନାର ଅଫିସିଆଲ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ପ୍ରକାଶ ପାଇଥିବା ଆର୍ଟିକିଲ ଅନୁଯାୟୀ ଭାରତ ଏବଂ ଚାଇନା ସୀମା ସହ ଜଡିତ ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ବର୍ଣ୍ଣନା କରୁନାହିଁ। ଗ୍ଲୋବାଲ ଟାଇମ୍ସର ଏହି ଆର୍ଟିକିଲରେ ଭାରତର ପ୍ରତିରକ୍ଷା ଏବଂ ନୀତିର ବିଶେଷଜ୍ଞମାନଙ୍କ ଅନୁଯାୟୀ ଚାଇନାର ମନୋଭାବରେ କିଛି ନୂଆ କଥା ନାହିଁ।

ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ଜୁନ ୨୦୨୦ଠାରୁ ଭାରତ ଏବଂ ଚାଇନା ମଧ୍ୟରେ ଅନେକ ରାଉଣ୍ଡ ଆଲୋଚନା ଚାଲିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତ ନିଆଯାଇ ନାହିଁ। କିନ୍ତୁ ୧୩-୧୪ ଅଗଷ୍ଟରେ ହୋଇଥିବା ଆଲୋଚନା ପରେ ଜାରି ହୋଇଥିବା ମିଳିତ ବିବୃତ୍ତିକୁ ଦେଖିଲେ ଏହା ଜଣାପଡୁଛି ଏହି ଦିଗରେ ସକରାତ୍ମକ ଅଗ୍ରଗତି ହୋଇଛି।

ଖବରକାଗଜରେ କୁହାଯାଇଛି ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ। ଉଭୟ ପକ୍ଷ ଅନ୍ୟ ସମସ୍ୟାର ଯଥାଶୀଘ୍ର ସମାଧାନ କରିବାକୁ ଚାହୁଁଛନ୍ତି। ଉଭୟେ ମଧ୍ୟ ସହମତ ହୋଇଛନ୍ତି ସାମରିକ ଏବଂ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଆଳୋଚନା ଏବଂ ଏହାର ଗତି ବଜାୟ ରଖିବା ଉଚିତ।

Share