Categories: ଜାତୀୟ

ଭାରତ-ଚାଇନା ୧୯ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା: ଡେପସଙ୍ଗ-ଡେମୋଚୋକରୁ ସୈନ୍ୟ ପ୍ରତ୍ୟାହାର ମୁଖ୍ୟ ପ୍ରସଙ୍ଗ…

ଲେହ,୧୪।୮ : ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଅବରୋଧକୁ ନେଇ ସୋମବାର ୧୯ ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବାକୁ ଯାଉଛି। ଲଦାଖ ସହିତ ପୂର୍ବ ସୀମାରେ ଚାଲିଥିବା ଉତ୍ତେଜନାକୁ ହ୍ରାସ କରିବା ଦିଗରେ ଉଭୟ ଦେଶର ସାମରିକ ଅଧିକାରୀ ଆଲୋଚନା କରିବେ। ପୂର୍ବରୁ ୧୮ ଥର ଆଲୋଚନା ହୋଇ ସାରିଛି। ଏଥର ସାମରିକ ଅଧିକାରୀମାନେ ଚୁସୁଲ ମୋଲଡୋ ଅଞ୍ଚଳରେ ଭେଟିବେ। କୁହାଯାଉଛି ପୂର୍ବ ଲଦାଖ ଫ୍ରଣ୍ଟରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ ଚାଇନା ଉପରେ ଚାପ ପକାଇପାରେ। ଚାରିମାସ ପରେ ଦୁଇ ଦେଶର ସାମରିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେବାକୁ ଯାଉଛି।

ଖବର ଅନୁଯାୟୀ, ଏହି ବୈଠକରେ ସାମରିକ ଅଧିକାରୀମାନେ ଡେପସଙ୍ଗ ଏବଂ ଡେମୋଚୋକରୁ ସୈନ୍ୟ ପ୍ରତ୍ୟାହାର କରିବା ମୁଖ୍ୟ ପ୍ରସଙ୍ଗ କରିପାରନ୍ତି। ଡିପସଙ୍ଗ ସମତଳ ଅଞ୍ଚଳରେ ଚାଇନା କିଛି ମାସ ଧରି ଭାରତର ପାଟ୍ରୋଲିଂରେ ବାଧା ସୃଷ୍ଟି କରିଛି। ଏଥିସହିତ ଡେପସଙ୍ଗ ଅଞ୍ଚଳ ଏବଂ ଚାର୍ଡିଙ୍ଗ ନିଙ୍ଗଲୁଙ୍ଗ ନାଲାରୁ ସେନା ହଟାଇବା ଦାବି କରାଯାଉଛି। ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ ଭାବରେ କହିଛନ୍ତି ତିନି ବର୍ଷ ଧରି ଚାଲିଆସୁଥିବା ଉତ୍ତେଜନା ଏକ କୂଟନୈତିକ ଚ୍ୟାଲେଞ୍ଜ ହୋଇ ରହିଛି। ସେ କହିଛନ୍ତି ଉତ୍ତେଜନାକୁ ହ୍ରାସ କରିବା ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ବନ୍ଦ ହୋଇନାହିଁ, ଏହା ଜାରି ରହିଛି।

Share