ପାକ୍‌ ଦେଇ ଆଫଗାନିସ୍ତାନକୁ ଗହମ ଯୋଗାଇ ପାରିବ ଭାରତ

ଇସଲାମାବାଦ,୧୩ା୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି, ସେ ଆଫଗାନିସ୍ତାନର ଆବେଦନ ଉପରେ ବିଚାର କରିବାକୁ ପ୍ରସ୍ତୁତ। ଯେଉଁଥିରେ ପାକିସ୍ତାନ ଦେଇ ଭାରତୀୟ ଗହମ ଆମଦାନୀ କରିବାକୁ ଅନୁମତି ମାଗିଛି ଆଫଗାନିସ୍ତାନ। ଏହା ସହିତ ସେ ଅନ୍ତର୍ଜାତୀୟ ସମୁଦାୟକୁ ମାନବିକ ସଙ୍କଟର ସମ୍ମୁଖୀନ ହେଉଥିବା ଦେଶର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସାମୂହିକ ଦାୟିତ୍ୱ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁଟାକିଙ୍କ ଗସ୍ତ ସମୟରେ ଏହି କଥା ଆସିଛି। ମୁଟାକି ତାଙ୍କର ପ୍ରଥମ ବିଦେଶ ଗସ୍ତରେ ପାକିସ୍ତାନ ଆସିଥିଲେ। ତାଙ୍କ ସହ ୨୦ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ମଧ୍ୟ ଯୋଗ ଦେଇଥିଲେ। ଇମ୍ରାନ କହିଛନ୍ତି, ଆମେ ଆମର ଆଫଗାନିସ୍ତାନ ଭାଇମାନଙ୍କ ଅନୁରୋଧକୁ ବିଚାର କରିବୁ, ଯେଉଁଥିରେ ସେମାନେ ଭାରତୀୟ ଗହମକୁ ପାକିସ୍ତାନ ଦେଇ ଯିବାକୁ ଅନୁମତି ମାଗିଛନ୍ତି। ସେ କହିଛନ୍ତି, ମାନବିକତା ଦୃଷ୍ଟିରୁ ସ୍ବତନ୍ତ୍ର ପରିସ୍ଥିତିରେ ପାକିସ୍ତାନ ଏହି ଅନୁରୋଧକୁ ବିଚାର କରିବାକୁ ପ୍ରସ୍ତୁତ।

ଆଫଗାନିସ୍ତାନର ମାନବିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ଆଫଗାନିସ୍ତାନକୁ ସାହାଯ୍ୟ କରୁଛି। ଗତ ଦଶନ୍ଧି ମଧ୍ୟରେ ଏଥିରେ ଏକ ମିଲିୟନ ଟନ୍‌ ଗହମର ସହାୟତା ମଧ୍ୟ ଅନ୍ତର୍ଭୁକ୍ତ। ଗତ ବର୍ଷ ମଧ୍ୟ ଆଫଗାନିସ୍ତାନକୁ ଭାରତ ୭୫୦୦୦ ଟନ୍‌ ଗହମ ଦେଇଥିଲା।

Share