Categories: ଜାତୀୟ

ବିଶ୍ୱର ଖେଳନା ହବ୍‌ ହୋଇପାରିବ ଭାରତ

ନୂଆଦିଲ୍ଲୀ, ୩୧।୮(ପି.ଟି.): ବିଶ୍ୱରେ ୭ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖେଳନା ବଜାର ରହିଥିବାବେଳେ ଏଥିରେ ଭାରତର ଅଂଶ ନଗଣ୍ୟ। ଭାରତକୁ ବିଶ୍ୱର ଖେଳନା କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରତିଭା ଓ ସାମର୍ଥ୍ୟ ରହିଛି। ଷ୍ଟାର୍ଟଅପ୍‌ ଏବଂ ଉଦ୍ୟୋଗୀମାନେ ଏଥିପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ୍‌ କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମରେ ଆହ୍ବାନ ଦେଇଛନ୍ତି। ଷ୍ଟାର୍ଟଅପ୍‌ଗୁଡ଼ିକ ସ୍ଥାନୀୟ ଖେଳନା ସହ କମ୍ପ୍ୟୁଟର ଗେମ୍‌ର ବିକାଶ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଦେଶର ଉନ୍ନତ ଐତିହ୍ୟ ଓ ପରମ୍ପରା ଖେଳନା ଓ କ୍ରୀଡ଼ା ଶିଳ୍ପକୁ ନବୋନ୍ମେଷ ଦେଇପାରିବ। ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ, ଦେଶକୁ ସବୁ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ଏଥିପାଇଁ ଖେଳନା ଶିଳ୍ପରେ ବଡ଼ ସୁଯୋଗ ରହିଛି।
ଏବେ ଉତ୍ସବର ସମୟ ହୋଇଥିଲେ ହେଁ କରୋନା ମହାମାରୀ ଯୋଗୁ ସେଗୁଡ଼ିକ ଫିକା ପଡ଼ିଯାଇଛି। ଭାରତୀୟ ଉତ୍ସବ ସହିତ ପରିବେଶର ଗଭୀର ସମ୍ପର୍କ ରହିଛି। ନିକଟରେ ବିଭିନ୍ନ ସ୍ଥାନରେ ପରିବେଶ ଅନୁକୂଳ ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଥିଲା। କୃଷକମାନଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। କରୋନା ମହାମାରୀ ସମୟରେ ସେମାନେ ଦୁଃସାହସର ପରିଚୟ ଦେଇଛନ୍ତି। ଗତବର୍ଷ ତୁଳନାରେ ଚଳିତ ଖରିଫ ଋତୁରେ ୭ ପ୍ରତିଶତ ଅଧିକ ଜମିରେ ଚାଷ କରାଯାଇଛି। ଧାନ ଚାଷ ଅଧିକ ୧୦ ପ୍ରତିଶତ ଜମିରେ ହୋଇଥିବାବେଳେ ଡାଲିଜାତୀୟ ଫସଲ ଚାଷ ୫ ପ୍ରତିଶତ ଏବଂ ତୈଳବୀଜ ପାଖାପାଖି ୧୩ ପ୍ରତିଶତ ଏବଂ କପା ଚାଷ ୩ ପ୍ରତିଶତ ବଢ଼ିଛି। ଭାରତର କୃଷି ପାଣ୍ଠି ଗଠନ କରାଯାଉଛି। ଏଥିରେ ପ୍ରତି ଜିଲାର ଫସଲ ଉତ୍ପାଦନ ଓ ସେଗୁଡ଼ିକର ପୌଷ୍ଟିକ ଗୁଣ ସମ୍ପର୍କିତ ସବିଶେଷ ତଥ୍ୟ ରହିବ। ଏହା କୃଷକମାନଙ୍କ ପାଇଁ ଖୁବ୍‌ ଦରକାରୀ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ବିଦେଶୀ କୁକୁର ନ ପାଳି ଭାରତୀୟ କୁକୁର ପାଳିବାକୁ ମୋଦି ପରାମର୍ଶ ଦେଇଥିଲେ। ଭାରତ ଜନ୍ମିତ କୁକୁର ସୁରକ୍ଷା ବଳରେ ଯୋଗଦେଇ ବହୁତ ବଡ଼ କାର୍ଯ୍ୟ କରୁଛନ୍ତି। ବୋମା ଠାବ କରି ସେମାନେ ଅନେକ ବିସ୍ଫୋରଣକୁ ପଣ୍ଡ କରିପାରିଛନ୍ତି। ଏପରିକି ଉଦ୍ଧାର ଓ ରିଲିଫ୍‌ ସମୟରେ ମଧ୍ୟ ଏହି ତାଲିମପ୍ରାପ୍ତ କୁକୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ସେ ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ମାସ୍କ ପିନ୍ଧିବା ଆଦି କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

Share