ନେପାଳରେ ଭାରତ ନିର୍ମାଣ କରିଛି ୫୦ ହଜାର ଘର

କାଠମାଣ୍ଡୁ, ୧୬ା୧୧: ୨୦୧୫ରେ ନେପାଳକୁ ଦୋହଲାଇ ଦେଇଥିଲା ଭୂକମ୍ପ। ଏହି ଭୟାବହ ଭୂକମ୍ପ ଯୋଗୁ ୨ଟି ଜିଲାରେ ଭାଙ୍ଗିଥିବା ୫୦ ହଜାର ଘର ପୁନଃନିର୍ମାଣ କାର୍ଯ୍ୟ ଭାରତ ଶେଷ କରିଛି। ଏ ନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟ ପୁନଃନିର୍ମାଣ କର୍ତ୍ତୃପକ୍ଷ(ଏନ୍‌ଆର୍‌ଏ), ଜାତିସଂଘ ବିକାଶ ପ୍ରୋଗ୍ରାମ (ୟୁଏନ୍‌ଡିପି) ଏବଂ ପରିଯୋଜନା ସେବା ପାଇଁ ଜାତିସଂଘ କାର୍ଯ୍ୟାଳୟ (ୟୁଏନ୍‌ଓପିଏସ୍‌) ସମେତ ଭାରତୀୟ ଦୂତାବାସ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଗୋରଖା ଏବଂ ନୁଓ୍ବାକୋଟ ଜିଲାରେ ଏହି ମିଶନ ସଫଳ ହୋଇଥିବା କୁହାଯାଇଛି। ନେପାଳ ସରକାରଙ୍କ ଦ୍ୱାରା ଗୃହ ପୁନଃନିର୍ମାଣ ପ୍ରକ୍ରିୟା ଅନୁଯାୟୀ ଭାରତ ସରକାରଙ୍କ ପକ୍ଷରୁ ଉକ୍ତ ଘରଗୁଡ଼ିକର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ଭାରତୀୟ ଦୂତାବାସ ଡେପୁଟି ଚିଫ୍‌ ନାମ୍‌ଗୟା ସି ଖମ୍ପା କହିଛନ୍ତି। ଭୂମିକମ୍ପ କ୍ଷତିଗ୍ରସ୍ତଙ୍କୁ ସାମାଜିକ-ବୈଷୟିକ ସୁବିଧା ଏବଂ ପରାମର୍ଶ ଦେବା ନିମନ୍ତେ ୨୦୧୮ ମାର୍ଚ୍ଚରେ ୟୁଏନ୍‌ଡିପି ଏବଂ ୟୁଏନ୍‌ଓପିଏସ୍‌ ଭାରତ ସରକାରଙ୍କୁ ସହଯୋଗ କରିଥିଲେ। ଭାରତ ସରକାରଙ୍କ ପକ୍ଷରୁ ୧୫୦ ମିଲିୟନ ଡଲାର ଘୋଷଣା କରାଯାଇଥିଲା। ୨୦୧୫ ଏପ୍ରିଲରେ ହୋଇଥିବା ଭୂମିକମ୍ପରେ ୯ ହଜାରରୁ ଊର୍ଦ୍ଧ୍ୱ ଜୀବନ ଯାଇଥିବାବେଳେ ୫ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଥିଲା।

Share