Categories: ଖେଳ

୭ ବର୍ଷର ରେକର୍ଡ ଭାଙ୍ଗିଲା ଭାରତ

କେପ୍‌ଟାଉନ୍‌,୧୩।୨: ମହିଳା ଟି-୨୦ ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚରେ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ଉଇକେଟ୍‌ରେ ପରାସ୍ତ କରିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୪ ଉଇକେଟ୍‌ ହରାଇ ୧୪୯ ରନ ସଂଗ୍ରହ କରିଥିଲା। ଟି-୨୦ରେ ଭାରତ ବିପକ୍ଷରେ ଏହା ପାକିସ୍ତାନର ସବୁଠାରୁ ବଡ ସ୍କୋର ଥିଲା। ବିସମା ମାରୋଫ ୫୫ ବଲରୁ ଅପରାଜିତ ୬୮ ଏବଂ ଆୟେଶା ନାସିମ ୨୫ ବଲରୁ ଅପରାଜିତ ୪୩ ସ୍କୋର କରିଥିଲେ।
ଏହାର ଜବାବରେ ଭାରତ ୧୯ ଓଭରରେ ୩ଟି ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଭାରତ ପକ୍ଷରୁ ଜେମିମା ୩୮ ବଲରେ ୫୩ ରନରେ ଅପରାଜିତ ରହିଥିଲେ ଏବଂ ରିଚା ୨୦ ବଲରେ ୪୧ ରନ ସଂଗ୍ରହ କରିଥିଲେ।
ମହିଳା ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ପିଛା କରି ଜିତିବାରେ ଭାରତ ଦ୍ୱିତୀୟ ଦଳ ହୋଇଛି। ଏହି ପ୍ରସଙ୍ଗରେ ଭାରତ ୱେଷ୍ଟଇଣ୍ଡିଜ୍‌ର ସାତ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି। ୱେଷ୍ଟଇଣ୍ଡିଜ ୨୦୧୬ ମହିଳା ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୪୯ ରନ୍‌ର ଟାର୍ଗେଟକୁ ପଛରେ ପକାଇ ଦେଇଥିଲା। ଏହି ତାଲିକାରେ ଇଂଲଣ୍ଡ ଦଳ ପ୍ରଥମ ସ୍ଥାନରେ ରହିଛି। ୨୦୦୯ ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୬୪ ରନର ଲକ୍ଷ୍ୟ ହାସଲ କରିଥିଲା।
ଭାରତୀୟ ଦଳକୁ ଆସନ୍ତା ଫେବୃଆରୀ ୧୫ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ ଖେଳିବାକୁ ପଡିବ। ଗ୍ରୁପ-ବିରେ ଏହି ବିଜୟ ସହିତ ଟିମ ଇଣ୍ଡିଆ ଦୁଇଟି ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ଇଂଲଣ୍ଡ ଦଳ ଦୁଇଟି ପଏଣ୍ଟ ଏବଂ ଭଲ ରନ ହାର ସହିତ ଶୀର୍ଷରେ ରହିଛି। ପାକିସ୍ତାନ ଚତୁର୍ଥ ସ୍ଥାନରେ ରହିଛି।

Share