ଦ୍ୱିତୀୟ ଥର ପାଇଁ ଇଣ୍ଡିଆ ବୁକଅଫ ରେକର୍ଡ଼

ଜୁନାଗଡ଼,୧୬।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅଧୀନ ମୁଣ୍ଡରାଗୁଡା ପଞ୍ଚାୟତ ଚିଲିଗୁଡା ଗ୍ରାମର ସ୍ବୟଂଶିବ ଜୋଶୀ ଇଣ୍ଡିଆ ବୁକଅଫ ରେକର୍ଡରେ ନିଜ ସ୍ଥାନ ଦ୍ୱିତୀୟ ଥର ପାଇଁ ବଜାୟ ରଖିଛନ୍ତି। ସେ ୨୦୨୧ରେ ୩୭ ସେକେଣ୍ଡରେ ୯ ଫୁଟ ବିଶିଷ୍ଟ ୩ଟି ଲୌହ ଖମ୍ବକୁ ଚଢି ଇଣ୍ଡିଆ ବୁକଅଫ ରେକର୍ଡରେ ସ୍ଥାନ ପାଇଥିଲେ। କମ୍‌ ବୟସରେ ୨୮ଟି ରାଜ୍ୟ ଓ ରାଜଧାନୀ, ମହାଦେଶର ନାମ, ପଞ୍ଚ ଇନ୍ଦ୍ରିୟ, ଇନ୍ଦ୍ର ଧନୁର ସାତ ରଙ୍ଗ,୧୪ଟି ଜାତୀୟ ପ୍ରତୀକ,୧୦ଟି ଖେଳର ନାମ, ୧୦ଟି ଜଳଚର ଜୀବ, ୧୨ ମାସର ନାମ, ସପ୍ତାହର ନାମ, ୬ ଋତୁର ନାମ, କମ୍ପ୍ୟୁଟର ୧୦ଟି ଅଂଶ, ଟ୍ରାଫିକ ସଂକେତ, ବୃକ୍ଷର ଅଂଶ ବିଶେଷ, ୧୦ ବିପରୀତ ବୋଧକ ଶବ୍ଦ, ୬ଟି ମନ୍ତ୍ର ଓ ଏବେ ଜାତୀୟ ସଙ୍ଗୀତ କହି ୨୦୨୨ରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି।

ମା’ ସାଗରିକା ଓ ବାପା ସମୀର ରଞ୍ଜନ ଜୋଶୀଙ୍କ ପ୍ରଚେଷ୍ଟାରେ ମାତ୍ର ୪ ବର୍ଷ ୧୦ ମାସ ବୟସରେ ଏହି କୃତିତ୍ୱ ହାସଲ କରିଥିବାରୁ ସ୍ବୟଂଶିବ ଅଞ୍ଚଳର ବେଶ ପ୍ରଶଂସାର ପାତ୍ର ହୋଇଛନ୍ତି। ଭବିଷ୍ୟତରେ ସେ ଜଣେ ଦକ୍ଷ ସେନା ଅଧିକାରୀ ହେବାକୁ ଆଶା ରଖିଛନ୍ତି। ସ୍ବୟଂଶିବ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶୀସେନ ଜୋଶୀଙ୍କ ନାତି। ତାଙ୍କ ମାର୍ଗ ଦର୍ଶନରେ ସେ ଏହି କୃତିତ୍ୱ ଲାଭ କରିଛନ୍ତି। ସ୍ବୟଂଶିବଙ୍କୁ ସ୍ଥାନୀୟ ସରପଞ୍ଚ ତାରା ଶଙ୍କର ରାୟଗୁରୁ ଏବଂ ବିଭିନ୍ନ ଅନୁଷ୍ଠାନରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।