୪ ବର୍ଷ ବୟସରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ

ଭଦ୍ରକ ଅଫିସ, ୧୧।୧୨: ବୟସ ମାତ୍ର ୪ ବର୍ଷ ୬ ମାସ। ତୁଳସୀ ଦୁଇପତ୍ରରୁ ବାସିଲା ଭଳି ତାଙ୍କ ପ୍ରତିଭା ଏବେଠାରୁ ବାସିଲାଣି। ହିନ୍ଦୀ ଓ ଇଂଲିଶରେ ୮୦ଟି ରାଇମ୍ସ ଗାଇ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି ଭଦ୍ରକ ଜିଲା ସଦର ବ୍ଲକ ସାବରଙ୍ଗ ଥାନା ଅଧୀନ ଆଟୋ ଗ୍ରାମର କୁନିଝିଅ ଭାନଭୀ ଭାବ୍ୟାଂଶିଖା। ତାଙ୍କର ଏହି ସଫଳତା ଜିଲା ପାଇଁ ଗୌରବ ଆଣିଛି।
ନରେନ୍ଦ୍ର ଦାସ ଓ ଶାଶ୍ୱତୀ ସୌମ୍ୟା ମହାପାତ୍ରଙ୍କ ଝିଅ ଭାନଭୀ ଏବେ ଚରମ୍ପା ମିଶନ ପବ୍ଲିକ ସ୍କୁଲରେ ଏଲ୍‌କେଜିର ଛାତ୍ରୀ। ଖୁବ୍‌ ଚଞ୍ଚଳ ପ୍ରକୃତିର ଭାନଭୀଙ୍କ ପ୍ରତିଭା। ସ୍କୁଲରେ ପାଠପଢ଼ାରେ ଯେମିତି ଆଗରେ ଠିକ୍‌ ସେମିତି ନିଜ ପ୍ରତିଭା ପାଇଁ ଚର୍ଚ୍ଚାରେ ରୁହନ୍ତି। କେବଳ ରାଇମ୍ସ ନୁହେଁ ଅନେକ ଶ୍ଲୋକ ବି ମନେରଖି ଖୁବ୍‌ ପ୍ରାଞ୍ଜଳ ଭାବେ ଗାଇ ପାରନ୍ତି। ଦୁନିଆ ବିଷୟରେ ଠିକ୍‌ ଭାବେ ବୁଝି ପାରି ନ ଥିବା ଭାନଭୀ ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ଇଚ୍ଛା ରଖିଥିବା କହନ୍ତି। ଝିଅର ଏଭଳି ସଫଳତା ନେଇ ମା’ ବାପା ବେଶ୍‌ ଖୁସି ଥିବାବେଳେ ଆଗକୁ ଅନେକ ରେକର୍ଡ ପାଇଁ ପ୍ରଚେଷ୍ଟା କରୁଥିବା କହିଛନ୍ତି। ସ୍କୁଲ ତରଫରୁ ଭାନଭୀଙ୍କୁ ସମ୍ବର୍ଦ୍ଧନା ସହ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ମା’ ବାପା କହନ୍ତି, ଭାନଭୀର ଶିଖିବାର ଇଚ୍ଛା ଓ ନିଶା, କ୍ୟାମେରା ସାମ୍ନାରେ ତାହା ପ୍ରକାଶ କରିବାର ଆଗ୍ରହ ତାକୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ଦେଇଛି। ଏହା ବ୍ୟତୀତ ନାଚ ଓ ପାଠପଢ଼ା ପ୍ରତି ତାଙ୍କର ଆଗ୍ରହ ରହିଛି। ସମସ୍ତଙ୍କୁ ପୁରସ୍କାର ପାଇବାର ଦେଖି ସେ ଅଝଟ କରୁଥିଲେ। ଏଣୁ ସେମାନେ ତାଙ୍କୁ ଏଥିପାଇଁ ପ୍ରସ୍ତୁତ କରାଇଥିଲେ। ଆଉ ଏଥିରେ ଝିଅ ସଫଳତା ପାଇବା ପରେ ସେମାନେ ବହୁତ ଖୁସି ଥିବା କହିଛନ୍ତି।