ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍ଲାଇନ୍ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍ (ଟିସିଏସ୍)କୁ କିଏ ନିର୍ଦ୍ଦେଶ ଦେଇଥିଲା ଏବଂ କାହା ଚାପରେ ଏହା କରାଯାଇଥିଲା ବୋଲି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି। ଏନେଇ ସେ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘X’ରେ ଏକ ପୋଷ୍ଟ କରିଛନ୍ତି। ରାହୁଲଙ୍କ ଏହି ପୋଷ୍ଟକୁ ଟ୍ୟାଗ କରି କଂଗ୍ରେସ ମହାସଚିବ ଜୟରାମ ରମେଶ ଅଭିଯୋଗ କରିଛନ୍ତି, ‘ନୂତନ ଏବଂ ଯୁବ (ଜେନ୍-ଜି) ଭୋଟରମାନଙ୍କୁ ଭୋଟର ତାଲିକାରୁ ବାଦ୍ ଦେବା ପାଇଁ ଜୁଲାଇ ୨୦୨୬ ମଧ୍ୟଭାଗରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି)ଙ୍କ ଦ୍ୱାରା ଅସାମ୍ବିଧାନିକ ଭାବେ ଫର୍ମ-୬ରେ ପରିବର୍ତ୍ତନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଏହି କାର୍ଯ୍ୟ ହୋଇଛି।’ ଏହି ବିବାଦକୁ ନେଇ ବୁଧବାର ‘ଇଣ୍ଡିଆ’ ମେଣ୍ଟର କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ଅକ୍ଟୋବର ୨ରୁ ୮ ପର୍ଯ୍ୟନ୍ତ ସାରା ଦେଶରେ ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଅକ୍ଟୋବର ୬ରେ ସମସ୍ତ ସାଂସଦଙ୍କ ଦ୍ୱାରା ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ଘେରାଉ ଏବଂ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ଆଗାମୀ ସମସ୍ତ ନିର୍ବାଚନ ବାଲଟ ପେପରରେ କରାଇବା ଏବଂ ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍ଆଇଆର୍) ମାମଲାର ଶୀଘ୍ର ଶୁଣାଣି ପାଇଁ ଉଚ୍ଚତମ ନ୍ୟାୟାଳୟଙ୍କୁ ଅନୁରୋଧ କରାଯାଇଛି।
ସୂଚନାଥାଉ କି ‘ଦି ଇଣ୍ଡିଆନ ଏକ୍ସପ୍ରେସ୍’ର ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ଗତ ୧୦ ମାସ ମଧ୍ୟରେ ‘ଏସ୍ଆଇଆର୍’ ପ୍ରକ୍ରିୟା ସହ ଜଡ଼ିତ ଅନେକ ନିଷ୍ପତ୍ତି ସେମାନଙ୍କ ଅଜ୍ଞାତରେ ନିଆଯାଇଥିବା ଦର୍ଶାଇ ୨ ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଜୋଷୀ ଅନ୍ତତଃ ୧୪ ଥର ଅନ୍-ରେକର୍ଡ ଆପତ୍ତି ଉଠାଇଛନ୍ତି।