ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର କରିଥିଲା। କିନ୍ତୁ ସେମାନଙ୍କର ଏହି ଆଧିପତ୍ୟ ଅଳ୍ପ ସମୟ ପାଇଁ ରହିଥିଲା ଏବଂ ଭାରତ ପୁନର୍ବାର ନିଜର ପ୍ରାଧାନ୍ୟ ପ୍ରତିଷ୍ଠା କରିଛି। ଏକ ଅନ୍ତର୍ଜାତୀୟ T20 ମ୍ୟାଚରେ ଜାପାନକୁ ପରାସ୍ତ କରି ଭାରତ ଶୀର୍ଷ ସ୍ଥାନ ପୁନର୍ବାର ହାସଲ କରିଛି। ବର୍ତ୍ତମାନ ଭାରତ ଏବଂ ଇଂଲଣ୍ଡର ରେଟିଂ ସମାନ ରହିଛି।
୨୬୯ ରେଟିଂ ସହିତ ଟିମ ଇଣ୍ଡିଆ ICC T20 ମାନ୍ୟତାରେ ପ୍ରଥମ ସ୍ଥାନକୁ ଫେରିଛି। ଦଳ ଗୋଟିଏ ସ୍ଥାନ ଉପରକୁ ଉଠିଥିବାବେଳେ ଇଂଲଣ୍ଡ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ଯଦିଓ ଉଭୟ ଦଳର ରେଟିଂ ୨୬୯ ରହିଛି, ତଥାପି ଦଶମିକ ସଂଖ୍ୟା (decimal points)କୁ ବିଚାରକୁ ନେଲେ ଭାରତ ଇଂଲଣ୍ଡ ଠାରୁ ଆଗରେ ରହିଛି। ପୂର୍ବରୁ ଶ୍ରୀଲଙ୍କାକୁ ପରାସ୍ତ କରି ଇଂଲଣ୍ଡ ଶୀର୍ଷ ସ୍ଥାନ ହାସଲ କରିଥିଲା, କିନ୍ତୁ ବର୍ତ୍ତମାନ ଏହା ତଳକୁ ଖସିଯାଇଛି।
ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ, ଭାରତ ଏକ ରୋମାଞ୍ଚକର ମ୍ୟାଚରେ ଜାପାନକୁ ଦୁଇ ରନ୍ରେ ସାମାନ୍ୟ ବ୍ୟବଧାନରେ ପରାସ୍ତ କରି ଶୀର୍ଷ ସ୍ଥାନ ପୁନର୍ବାର ହାସଲ କରିଛି। ବର୍ଷା କାରଣରୁ T20 ମ୍ୟାଚକୁ ମାତ୍ର ପାଞ୍ଚ ଓଭରକୁ ସୀମିତ କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଚାରି ଓଭରରେ ୩୨ ରନ ସଂଗ୍ରହ କରିଥିଲା। ଜାପାନ ବ୍ୟାଟିଂ କରିବାକୁ ଆସି ନିର୍ଦ୍ଧାରିତ ପାଞ୍ଚ ଓଭରରେ ତିନି ଉଇକେଟ ହରାଇ ମାତ୍ର ୩୦ ରନ ସଂଗ୍ରହ କରିପାରିଥିଲା, ଫଳସ୍ବରୂପ ଭାରତ ୨ ରନ୍ରେ ବିଜୟୀ ହୋଇଥିଲା।
ଅଧିକ ରେଟିଂ ହାସଲ କରି ଟିମ ଇଣ୍ଡିଆ ଖୁବ ଶୀଘ୍ର ଇଂଲଣ୍ଡଠାରୁ ଆଗକୁ ବଢ଼ିପାରେ। ନଭେମ୍ବର ପର୍ଯ୍ୟନ୍ତ ଇଂଲଣ୍ଡ ଦଳର କୌଣସି ଅନ୍ତର୍ଜାତୀୟ T20 ମ୍ୟାଚ ଖେଳିବାର କାର୍ଯ୍ୟସୂଚୀ ନଥିବାବେଳେ, ଟିମ ଇଣ୍ଡିଆ ମାତ୍ର କିଛି ଦିନ ମଧ୍ୟରେ ଏସୀୟ କ୍ରୀଡ଼ାରେ ଖେଳୁଥିବାର ନଜର ଆସିବ।