Categories: Home Leftଖେଳ

ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଲା ଟିମ ଇଣ୍ଡିଆ: ବିଶ୍ୱରେ ସୃଷ୍ଟି କଲା ନୂଆ ରେକର୍ଡ, ଅଷ୍ଟ୍ରେଲିଆ-ଇଂଲଣ୍ଡ ପଡିଲେ ପଛରେ…

ନୂଆଦିଲ୍ଲୀ, ୨୫।୧୦: ଶନିବାର ନ୍ୟୁଜିଲାଣ୍ଡକୁ ଦ୍ୱିତୀୟ ଟି-୨୦ ମ୍ୟାଚରେ ୪ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ବ୍ୟାଟିଂରେ ତିଳକ ବର୍ମା, ନମନ ଧୀର ଓ ନୀତୀଶ କୁମାର ରେଡ୍ଡୀଙ୍କ ଦମଦାର ପ୍ରଦର୍ଶନ ବଳରେ ଟିମ ଇଣ୍ଡିଆ ମ୍ୟାଚକୁ ନିଜ ସପକ୍ଷକୁ ଆଣିବା ସହ ସିରିଜରେ ୨-୦ରେ ଅଗ୍ରଣୀ ହୋଇଛି। ନ୍ୟୁଜିଲାଣ୍ଡକୁ ହରାଇବା ସହ ଭାରତ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୨୦୦ଟି ବିଜୟ ହାସଲ କରିବାରେ ବିଶ୍ୱର ପ୍ରଥମ ଦେଶ ହୋଇଛି। ଉଲ୍ଲେଖନୀୟ କଥା ହେଉଛି, ସର୍ବାଧିକ ବିଜୟ ହାସଲ କରିବା ମାମଲାରେ ଭାରତର ଆଖପାଖରେ ମଧ୍ୟ ଅନ୍ୟ କୌଣସି ଦେଶ ନାହିଁ।

ବିଶ୍ୱରେ ସର୍ବାଧିକ ଟି-୨୦ ମ୍ୟାଚ ଖେଳିଥିବା ଦେଶ ହେଉଛି ପାକିସ୍ତାନ। କିନ୍ତୁ ସର୍ବପ୍ରଥମେ ବିଜୟର ଦ୍ୱିଶତକ ହାସଲ କରିଛି ଭାରତ। ଟିମ ଇଣ୍ଡିଆ ଏଯାଏ ୩୦୦ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୨୦୦ଟିରେ ବିଜୟୀ ହୋଇଛି। ସର୍ବାଧିକ ବିଜୟ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ପାକିସ୍ତାନ। ଏହି ଦଳ ଏଯାଏ ୧୭୬ଟି ବିଜୟ ହାସଲ କରିଛି।

ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ଦଳ ଏଯାଏ ୩୦୦ଟି ମ୍ୟାଚ ଖେଳି ୨୦୦ଟିରେ ବିଜୟୀ ହୋଇଛି। ଏହା ସହିତ ଟିମ ଇଣ୍ଡିଆକୁ ୮୩ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଅବଶିଷ୍ଟ ୧୭ଟି ମ୍ୟାଚ ମଧ୍ୟରୁ କେତେକ ଟାଇ ରହିଥିବା ବେଳେ ଅନ୍ୟ କେତେକର ଫଳାଫଳ ମିଳିପାରି ନାହିଁ।

ଭାରତର ୨୦୦ତମ ବିଜୟ ମ୍ୟାଚ ଉପରେ ନଜର ପକାଇଲେ, ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୮୦ ରନ କରିଥିଲା। ଏହାର ଜବାବରେ ଭାରତୀୟ ଦଳର ଟପ ଅର୍ଡର ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଦେଖୁ ଦେଖୁ ୭୦ ରନ ମଧ୍ୟରେ ଭାରତର ଅଧା ଖେଳାଳି ପାଭିଲିୟନ ଫେରିଯାଇଥିଲେ।

ଏଭଳି ସଙ୍କଟଜନକ ସ୍ଥିତିରେ ତିଳକ ବର୍ମା ଓ ନମନ ଧୀର ଭାରତର ବିଜୟ ମୂଳଦୁଆ ପକାଇଥିଲେ। ଉଭୟଙ୍କ ମଧ୍ୟରେ ୪୨ ରନର ମୂଲ୍ୟବାନ ପାର୍ଟନରଶିପ ହୋଇଥିଲା। ନମନ ଧୀର ମାତ୍ର ୧୭ଟି ବଲରେ ୩୧ ରନ ସଂଗ୍ରହ କରିଥିଲେ।

ଏହାପରେ ତିଳକ ବର୍ମା ଓ ନୀତୀଶ କୁମାର ରେଡ୍ଡୀ ମିଶି ଅପରାଜିତ ୬୯ ରନ ଯୋଡ଼ି ଭାରତର ବିଜୟ ସୁନିଶ୍ଚିତ କରିଥିଲେ। ତିଳକ ୫୧ ରନ କରିଥିବା ବେଳେ ନୀତୀଶ ୨୬ ରନ କରି ଅପରାଜିତ ଫେରିଥିଲେ।

Dharitri – Odisha’s No.1 Odia Daily

Share