ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ (ରାଉଣ୍ଡ-୨)କୁ ସ୍ଥାନ ପକ୍କା କରିଛି। ନେଦରଲ୍ୟାଣ୍ଡର ଆମଷ୍ଟେଲଭିନ୍‌ରେ ଖେଳାଯାଇଥିବା ଏହି ପୁଲ୍ ଡି (Pool D) ର ଶେଷ ମୁକାବିଲାରେ ଭାରତୀୟ ଖେଳାଳିମାନେ ଆରମ୍ଭରୁ ହିଁ ନିଜର ଦବଦବା ବଜାୟ ରଖିଥିଲେ।

ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଦଳ ଆଟାକିଂ ହକି ଖେଳିଥିଲା। ପଞ୍ଚମ ମିନିଟ୍‌ରେ ଭାରତକୁ ପ୍ରଥମ ପେନାଲ୍ଟି କର୍ନର (ପିସି) ମିଳିଥିଲା, ଯାହାକୁ ହରମନପ୍ରୀତ ସିଂ ଗୋଲରେ ପରିଣତ କରିଥିଲେ। ଏହାର ୬ ମିନିଟ୍‌ ପରେ ଅଭିଷେକ ଏକ ଦର୍ଶନୀୟ ଫିଲ୍ଡ ଦେଇ ଭାରତକୁ ୨-୦ ଗୋଲରେ ଆଗୁଆ କରାଇଥିଲେ। ଦ୍ୱିତୀୟ କ୍ୱାର୍ଟରର ୨୧ତମ ମିନିଟ୍‌ରେ ଭାରତକୁ ଆଉ ଏକ ପିସି ମିଳିଥିଲା। ଏହାକୁ ଅଧିନାୟକ ହରମପ୍ରୀତ ଗୋଲରେ ପରିଣତ କରିଥିଲେ।

ଏହାର ପରବର୍ତ୍ତୀ ମିନିଟ୍‌ରେ ଶାହିଦ ହନ୍ନାନ(୨୨ତମ) ଏକ ଫିଲ୍ଡ ଗୋଲ ଜରିଆରେ ପାକିସ୍ତାନ ପାଇଁ ଖାତା ଖୋଲିଥିଲେ। ୨୪ତମ ମିନିଟ୍‌ରେ ଅଭିଷେକ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ କରିଥିବା ବେଳେ ପାକିସ୍ତାନକୁ ମିଳିଥିବା ପିସିକୁ ସୁଫୟାନ ଖାନ ଗୋଲରେ କନଭର୍ଟ କରିଥିଲେ। ଫଳରେ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୪-୨ ଗୋଲରେ ଆଗରେ ରହିଥିଲା। ତୃତୀୟ କ୍ୱାର୍ଟରରେ ଡିଫେନ୍ସ ଏରିଆରେ ପାକିସ୍ତାନ ଖେଳାଳିଙ୍କ ଫାଉଲ କାରଣରୁ ଭାରତକୁ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ଏହାକୁ ଉପ ଅଧିନାୟକ ହାର୍ଦ୍ଦିକ ସିଂ ଗୋଲରେ ପରିଣତ କରିଥିଲେ।

ଚତୁର୍ଥ କ୍ୱାର୍ଟରରେ ହନ୍ନାନ ଶାହିଦ (୪୬ତମ) ପାକିସ୍ତାନ ପାଇଁ ୩ୟ ଗୋଲ ଦେଇଥିଲେ। ମ୍ୟାଚ୍‌ ଶେଷ ଆଡ଼କୁ ପାକିସ୍ତାନକୁ ଏକ ପିସି ମିଳିଥିଲା, ଯାହାକି ଭାରତୀୟ ଡିଫେନ୍ସ ଆଗରେ ବେକାର ସାବ୍ୟସ୍ତ ହୋଇଥିଲା।

Dharitri – Odisha’s No.1 Odia Daily

Share