୭ ବର୍ଷ ପରେ ନ୍ୟୁଜିଲାଣ୍ଡ ମାଟିରେ ଭାରତର ବିଜୟ! ୨୨ ରନ୍‌ରେ ହାରିଲା କିୱି ଟିମ୍‌

ନୂଆଦିଲ୍ଲୀ,୧୫।୧୧: ହାରିବାକୁ ଯାଉଥିବା ମ୍ୟାଚ୍‌କୁ ଜିତି ନେଲା ଟିମ୍‌ ଇଣ୍ଡିଆ । ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଦିନିକିଆରେ ଭାରତୀୟ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ୨୨ ରନ୍‌ରେ ବିଜୟୀ ହୋଇଛି ଭାରତ । ଏହି ବିଜୟ ସହ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୩-୧ରେ ନିଜ ନାଁରେ କରିଛି ଟିମ୍‌ ଇଣ୍ଡିଆ।

ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଦଳ ୪୨.୧ ଓଭରରେ ୨୦୯ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ଭାରତ ପକ୍ଷରୁ ଅକ୍ଷର ପଟେଲ ଓ ଈଶାନ କିଶନ ୪୬ ରନ୍‌ ଲେଖାଏ କରିଥିଲେ । ନମନ ଧୀର ଓ ଅଧିନାୟକ ଶ୍ରେୟସ ଆୟର ୨୨ ରନ୍‌ ଲେଖାଏ କରିଥିଲେ। ଶେଷ ଆଡ଼କୁ ଅର୍ଶଦୀପ ସିଂ ୪ଟି ବଲ୍‌ରୁ ୧୪ ଏବଂ ମହମ୍ମଦ ସିରାଜ ୨୦ଟି ବଲ୍‌ରୁ ୧୪ ରନ୍‌ କରି ଦଳର ସ୍କୋରକୁ ୨୦୯ରେ ପହଞ୍ଚାଇଥିଲେ । ତେବେ ରୋହିତ ଶର୍ମା ୭ ଓ ବିରାଟ କୋହଲି ମାତ୍ର ୫ ରନ୍‌ କରିଥିଲେ।

୨୧୦ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ନ୍ୟୁଜିଲାଣ୍ଡ ଭଲ ଆରମ୍ଭ କରିପାରି ନଥିଲା। ୨୬ ରନ୍‌ରେ ଦଳର ପ୍ରଥମ ୱିକେଟ୍‌ ପଡ଼ିଥିଲା। ତେବେ ଓପନର ୱିଲ୍‌ ୟଙ୍ଗ ଓ ନିକ୍‌ କେଲିଙ୍କ ମଧ୍ୟରେ ୩୮ ରନ୍‌ର ଭାଗୀଦାରି ହୋଇଥିଲା। ଏକ ସମୟରେ ନ୍ୟୁଜିଲାଣ୍ଡର ସ୍କୋର ୨ ୱିକେଟ୍‌ରେ ୮୨ ରନ୍‌ ଥିଲା। ଲାଗୁଥିଲା କିୱି ଦଳ ସହଜରେ ମ୍ୟାଚ୍‌ ଜିତିଯିବ। କିନ୍ତୁ ଏହାପରେ ଭାରତୀୟ ବୋଲର ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ମାତ୍ର ୧ ରନ୍‌ ଭିତରେ ନ୍ୟୁଜିଲାଣ୍ଡ ୪ଟି ୱିକେଟ୍‌ ହରାଇଥିଲା।

ଭାରତ ପକ୍ଷରୁ ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ। ଅର୍ଶଦୀପ ୩ଟି ୱିକେଟ୍‌ ନେଇ ନ୍ୟୁଜିଲାଣ୍ଡର ଟପ୍‌ ଅର୍ଡରକୁ ଧ୍ୱଂସ କରିଥିବା ବେଳେ ସିରାଜ ୨ଟି ୱିକେଟ୍‌ ନେଇଥିଲେ। ଡିନ୍‌ ଫକ୍ସକ୍ରଫ୍ଟ ୩୧ ଓ ମାଇକେଲ ବ୍ରେସୱେଲ ୧୯ ରନ୍‌ କରି କିଛି ସମୟ ପାଇଁ ଦଳକୁ ସମ୍ଭାଳିଥିଲେ । କିନ୍ତୁ ଭାରତୀୟ ବୋଲର ସେମାନଙ୍କୁ ଅଧିକ ସମୟ ତିଷ୍ଠିବାକୁ ଦେଇ ନଥିଲେ।

ପରେ ମିଚେଲ ସାଣ୍ଟନର ଓ କ୍ରିଷ୍ଟିଆନ କ୍ଲାର୍କ ୩୯ ରନ୍‌ର ଭାଗୀଦାରି କରିଥିଲେ। ଏହାପରେ ବ୍ଲେୟାର ଟିକନର ଓ ଜାକବ ଡଫିଙ୍କ ଛୋଟ ଭାଗୀଦାରି ନ୍ୟୁଜିଲାଣ୍ଡର ଆଶା ବଢ଼ାଇଥିଲା। ହେଲେ ଭାରତୀୟ ବୋଲର ଚାପ ବଜାୟ ରଖିଥିଲେ। ଶେଷରେ ନ୍ୟୁଜିଲାଣ୍ଡ ୧୮୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା।

ଏହି ବିଜୟ ସହ ଭାରତ ଦୀର୍ଘ ୭ ବର୍ଷ ପରେ ନ୍ୟୁଜିଲାଣ୍ଡ ମାଟିରେ ଦିନିକିଆ ସିରିଜ୍‌ ଜିତିଛି । ଏହା ପୂର୍ବରୁ ୨୦୧୮-୧୯ରେ ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୪-୧ରେ ଜିତିଥିଲା। ଅନ୍ୟପଟେ ନିଜ ଘରୋଇ ମାଟିରେ ମଧ୍ୟ ୭ ବର୍ଷ ପରେ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ହାରିଛି।

 

Dharitri – Odisha’s No.1 Odia Daily

Share