ନୂଆଦିଲ୍ଲୀ, ୧୨।୧୧: ୨୦୨୬ ଅଣ୍ଡର-୧୯ ଏସିଆ କପରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଭାରତ ଏଥିରେ ଚମତ୍କାର ପ୍ରଦର୍ଶନ କରି ଆଫଗାନିସ୍ତାନକୁ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ସୁନିଶ୍ଚିତ କରିଛି। ଭାରତ ପକ୍ଷରୁ ଆର୍ଯ୍ୟବୀର ସେହୱାଗ ଏବଂ ଲକ୍ଷ୍ୟ ରାଜେଶ ରାୟଚନ୍ଦାନୀ ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବର୍ତ୍ତମାନ ଭାରତୀୟ ଦଳ ଫାଇନାଲ ମ୍ୟାଚ୍ ଖେଳିବ ।
୨୨୮ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ଦମ୍ଦାର ଆରମ୍ଭ କରିଥିଲା। ଅଧିନାୟକ ଲକ୍ଷ୍ୟ ରାଇଚନ୍ଦାନୀ ଓ ଆର୍ଯ୍ୟବୀର ସେହୱାଗ ପ୍ରଥମ ୱିକେଟ୍ ପାଇଁ ୧୧୭ ରନ୍ର ଶତକୀୟ ଭାଗୀଦାରି କରିଥିଲେ। ଏହି ଯୋଡ଼ି ଭାରତର ବିଜୟ ପଥକୁ ସହଜ କରିଦେଇଥିଲେ। ଆର୍ଯ୍ୟବୀର ୫୭ଟି ବଲ୍ରୁ ୪ଟି ଛକା ଓ ୪ଟି ଚୌକା ସହ ୫୧ ରନ୍ କରିଥିଲେ। ଅନ୍ୟପଟେ ଅଧିନାୟକ ଲକ୍ଷ୍ୟ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ୯୩ ରନ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ୯୦ଟି ବଲ୍ର ସମ୍ମୁଖୀନ ହୋଇ ସେ ଗୋଟିଏ ଛକା ଓ ୧୩ଟି ଚୌକା ମାରିଥିଲେ।
ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ବିନୀତ ଅପରାଜିତ ୫୭ ରନ୍ର ଉପଯୋଗୀ ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ। ଫଳରେ ଭାରତ ୮ ୱିକେଟ୍ରେ ମ୍ୟାଚ୍ ଜିତି ଫାଇନାଲ୍ରେ ପ୍ରବେଶ କରିଛି। ଏବେ ଟାଇଟଲ୍ ପାଇଁ ଭାରତକୁ ପାକିସ୍ତାନର ସାମ୍ନା କରିବାକୁ ପଡ଼ିବ। ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନ ଗୋଟିଏ ହେଲେ ମ୍ୟାଚ୍ ହାରିନଥିଲା। ତେଣୁ ଫାଇନାଲ୍ ମୁକାବିଲା ରୋମାଞ୍ଚକର ହେବା ଆଶା କରାଯାଉଛି।
ଆସନ୍ତା ନଭେମ୍ବର ୧୪ ତାରିଖ ଶନିବାର ଦିନ ଓମାନର ଅଲ୍ ଆମେରାଟ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ୍ ଖେଳାଯିବ। ଭାରତୀୟ ସମୟ ଅନୁସାରେ ମ୍ୟାଚ୍ ସକାଳ ୧୦ଟା ୩୦ ମିନିଟ୍ରେ ଆରମ୍ଭ ହେବ। ଏବେ ସମସ୍ତଙ୍କ ନଜର ଏହି ହାଇଭୋଲ୍ଟେଜ୍ ଫାଇନାଲ୍ ଉପରେ।