ନୂଆଦିଲ୍ଲୀ,୨୬ା୪: ସାରା ବିଶ୍ୱରେ ଗ୍ରୀଷ୍ମଜନିତ ଉତ୍ତାପକୁ ନେଇ ଭାରତ ଏବେ କେନ୍ଦ୍ରସ୍ଥଳ ପାଲଟିଛି। କାରଣ ଭାରତର ଅଧିକାଂଶ ସହରରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଚାଲିଥିବାବେଳେ ବହୁ ସହରର ଉତ୍ତାପ ୪୦ ଡିଗ୍ରୀ ଡେଇଁଛି। ସ୍ଥିତି ଏଭଳି ହୋଇଛି ଯେ, ବିଶ୍ୱର ୧୦୦ ଉତ୍ତପ୍ତ ସହର ମଧ୍ୟରୁ ୯୫ଟି ସହର କେବଳ ଭାରତରେ ରହିଛି। ‘ ରିଅଲ ଟାଇମ୍ ଗ୍ଲୋବାଲ ଟେମ୍ପେରେଚର’ ର଼୍ୟାଙ୍କିଙ୍ଗ୍ ରିପୋର୍ଟ ଅନୁସାରେ ଉତ୍ତର ଭାରତଠାରୁ ଗାଙ୍ଗେୟ ଉପତ୍ୟକା ମଧ୍ୟରେ ଅଧିକାଂଶ ସହରର ତାପମାତ୍ରା ଏବେ ସୁଦ୍ଧା ୪୦ ଡିଗ୍ରୀ ଅତିକ୍ରମ କରିଥିଲାବେଳେ ବହୁ ସହରର ତାପମାତ୍ରା ୪୫ ଡିଗ୍ରୀରେ ପହଞ୍ଚିଛି। କେବଳ ବଡ଼ ସହର ନୁହେଁ, ମଧ୍ୟମ ଏବଂ ଅପେକ୍ଷାକୃତ ଛୋଟ ସହରରେ ମଧ୍ୟ ଏଭଳି ସ୍ଥିତି ଦେଖାଯାଇଥିବାରୁ ଭାରତରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବହାର ଭୟାବହତା କିଭଳି ରହିବ ତାହାକୁ ନେଇ ଚିନ୍ତାପ୍ରକଟ କରାଯାଇଛି।
ବର୍ତ୍ତମାନ ସୁଦ୍ଧା ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରହିଥିବା ସହରଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ତେଲଙ୍ଗାନା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା ଏବଂ ଛତିଶଗଡ଼ ଆଦି ରାଜ୍ୟର ସହର ରହିଛି। ଏଥର ‘ଏଲ୍-ନିନୋ’ ପ୍ରଭାବରେ ମୌସୁମୀ ସ୍ୱାଭାବିକ ହୋଇ ନ ପାରେ ବୋଲି ଅନୁମାନ କରାଯାଇଛି। ଏହାକୁ ନେଇ ମୌସୁମୀ ଭାରତ ଉପକୂଳ ଛୁଇଁବା ବିଳମ୍ୱ ହେବ ବୋଲି ଆକଳନ କରାଯାଉଥିବାବେଳେ ଶୁଷ୍କ ଆକାଶ ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ଏହିସବୁ ରାଜ୍ୟର ବିଭିନ୍ନ ସହରକୁ ପ୍ରଭାବିତ କରିଥିବା କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ବିଭିନ୍ନ ସହରରେ ‘ୟେଲୋ ଓ୍ୱାର୍ନିଂ’ ଜାରି କରାଯାଇଛି। ଆଗକୁ ସ୍ଥିତି ଆହୁରି ଜଟିଳ ରୂପ ନେବା ଆଶଙ୍କା କରାଯାଇ ଏଥିପାଇଁ ବିହିତ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଛୋଟ ପିଲା,ବୟସ୍କ ବ୍ୟକ୍ତି ଏବଂ ବାହାରେ କାମ କରୁଥିବା ଶ୍ରମିକମାନଙ୍କୁ ସତର୍କତା ଅବଲମ୍ୱନ କରିବାକୁ ପଡ଼ିବ ବୋଲି କୁହାଯାଇଛି। ବର୍ତ୍ତମାନ ଦେଶର ବିଭିନ୍ନ ସହରର ତାପମାତ୍ରା ଯେଭଳି ବଢ଼ିବାରେ ଲାଗିଛି ତାହା ଭାରତକୁ ବିଶ୍ୱର ସବୁଠାରୁ ଉତ୍ତପ୍ତ ଇଲାକା( ଗ୍ଲୋବାଲ ଏକ୍ସଟ୍ରିମ୍ ଟେମ୍ପେରେଚର) ର଼୍ୟାଙ୍କିଙ୍ଗ୍ରେ ସ୍ଥାନିତ କରିଛି।
ଦିଲ୍ଲୀରେ ହସ୍ପିଟାଲରେ ଖୋଲିଲା ‘ହିଟ୍ଷ୍ଟ୍ରୋକ୍ ୟୁନିଟ୍’
ଦେଶର ଉତ୍ତର ଭାଗ ସମେତ ଉତ୍ତର ପଶ୍ଚିମ, ପଶ୍ଚିମ ଏବଂ କେନ୍ଦ୍ରଭାଗର ବିଭିନ୍ନ ସହରର ତାପମାତ୍ରା ଅସହ୍ୟ ହେବାକୁ ଲାଗିଥିବାବେଳେ ଜାତୀୟ ରାଜଧାନୀ ଦିଲ୍ଲୀର ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି। ଏହାଛଡ଼ା ଏନ୍ସିଆର୍କୁ ଲାଗିଥିବା ଉତ୍ତରପ୍ରଦେଶର କିଛି ସହରର ତାପମାତ୍ରା ମଧ୍ୟ ଅସହ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ‘ହିଟ୍ ଷ୍ଟ୍ରୋକ୍ ୟୁନିଟ୍’ ଖୋଲାଯାଇଛି।