Categories: ଜାତୀୟ

ଉଜବେକିସ୍ତାନକୁ ତଥ୍ୟ ମାଗିଲା ଭାରତ

ନୂଆଦିଲ୍ଲୀ,୩୦ା୧୨:ଉତ୍ତର ପ୍ରଦେଶର ନୋଏଡାରେ ମାରିଓନ୍‌ ବାୟୋଟେକ୍‌ ପକ୍ଷରୁ ପ୍ରସ୍ତୁତ ଡୋକ୍‌-୧ ମ୍ୟାକ୍ସ ସିରପ୍‌ ସେବନ କରି ଉଜ୍‌ବେକିସ୍ତାନର ୧୯ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ଆସିବା ପରେ ଭାରତ ସରକାର କଡ଼ା ଅଭିମୁଖ୍ୟ ଦେଖାଇଛନ୍ତି। କେଉଁ ପରିସ୍ଥିତିରେ ଶିଶୁମାନଙ୍କ ମୃତ୍ୟୁ ଘଟିଛି ସେନେଇ ଉଜ୍‌ବେକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ତଦନ୍ତ ସମ୍ପର୍କିତ ବିସ୍ତୃତ ତଥ୍ୟ ମଗାଯାଇଥିବା ଗୁରୁବାର ବହିର୍ବ୍ୟାପାର ମନ୍ତ୍ରଣଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ସୂଚନା ଦେଇଛନ୍ତି। ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ବାଗ୍‌ଚୀ କହିଛନ୍ତି, ଉଜ୍‌ବେକିସ୍ତାନରେ ଉକ୍ତ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାବେଳେ କନ୍‌ସୁଲାର ସହାୟତା ପ୍ରଦାନ କରାଯାଉଛି। ଏହି ପ୍ରସଙ୍ଗକୁ ଉଜ୍‌ବେକିସ୍ତାନ କର୍ତ୍ତୃପକ୍ଷ ଆନୁଷ୍ଠାନିକ ଭାବେ ନୂଆଦିଲ୍ଲୀର ନଜରକୁ ଆଣିନାହାନ୍ତି। ସେହିପରି ସ୍ବାସ୍ଥ୍ୟ ମନ୍ତ୍ରୀ ମନ୍‌ସୁଖ ମାଣ୍ଡବ୍ୟ କହିଛନ୍ତି, ଖବର ମିଳିବା ମାତ୍ରେ ଉକ୍ତ କମ୍ପାନୀର ନୋଏଡା ଫାସିଲିଟିରୁ କଫ୍‌ ସିରପ୍‌ ନମୁନା ସଂଗ୍ରହ କରାଯାଇଛି। ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନେଇଜେଶନ(ସିଡି-ଏସ୍‌ସିଓ) ଏବଂ ୟୁପି ଡ୍ରଗ୍‌ କଣ୍ଟ୍ରୋଲ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଉଜ୍‌ବେକିସ୍ତାନର ଜାତୀୟ ଡ୍ରଗ୍‌ ନିୟନ୍ତ୍ରକ ସହ ସିଡି-ଏସ୍‌ସିଓ ନିୟମିତ ଯୋଗସୂତ୍ରରେ ରହିଛି। ରିପୋର୍ଟ ମିଳିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମାଣ୍ଡବ୍ୟ ଟୁଇଟ୍‌ କରିଛନ୍ତି। ଅନ୍ୟପକ୍ଷେ ମାରିଓନ୍‌ ବାୟୋଟେକ୍‌ର ଜଣେ ଆଇନଗତ ପ୍ରତିନିଧି କହିଛନ୍ତି, ଶିଶୁଙ୍କ ମୃତ୍ୟୁକୁ ନେଇ ମର୍ମାହତ। କମ୍ପାନୀ ଡୋକ୍‌-୧ ମ୍ୟାକ୍ସ ସିରପ୍‌ ଉତ୍ପାଦନ ବନ୍ଦ କରିଦେଇଛି।
ପ୍ରକାଶ ଯେ, ୨୦୧୨ରେ ଉଜ୍‌ବେକିସ୍ତାନରେ ପଞ୍ଜୀକୃତ ମାରିଓନ୍‌ ବାୟୋଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର କଫ୍‌ ସିରପ୍‌ ସେବନ କରିବା ପରେ ୧୯ ଶିଶୁ ଆଖିବୁଜି ଦେଇଥିବା ବୁଧବାର ସେଠାକାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତିରେ କହିଥିଲା। ସେଠାକାର ଔଷଧ ଦୋକାନଗୁଡ଼ିକରେ ଡୋକ୍‌-୧ ମ୍ୟାକ୍ସ ସିରପ୍‌ ଓ ଟାବ୍‌ଲେଟ୍‌ ବିକ୍ରିକୁ ନିଷେଧ କରାଯାଇଛି। ଗତ ଅକ୍ଟୋବରରେ ହରିୟାଣାର ମେଡେନ୍‌ ଫାର୍ମା ନିର୍ମିତ ୪ କଫ ସିରପ ପିଇବା ପରେ ଗାମ୍ବିଆର ୬୬ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେବା ପରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଭାରତୀୟ ଔଷଧକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲା।

Share