ନୂଆଦିଲ୍ଲୀ,୨ା୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ଇଲେକ୍ଟ୍ରୋନିକ୍ସ ଉପକରଣର ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ୪୬ ହଜାର କୋଟି ଟଙ୍କାର ଅନୁଦାନକୁ ଅନୁମୋଦନ ମିଳିଛି।
ପ୍ରମୁଖ କମ୍ପାନୀ ସାମସଙ୍ଗ, ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ଫକ୍ସକନ୍ ଭଳି ବଡ଼ ବଡ଼ କମ୍ପାନୀଗୁଡ଼ିକ ଏହି ଯୋଜନା ଦ୍ୱାରା ଉପକୃତ ହେବେ।
ଏହି ଯୋଜନା ‘ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ମାନୁଫାକ୍ଚରିଂ ସ୍କିମ୍’ (ECMS) ଅଧୀନରେ ସରକାର ୨୨୯.୧୯ ବିଲିୟନ ଟଙ୍କାର ସବସିଡି ପ୍ରଦାନ କରିବେ। ଏହାଦ୍ୱାରା ମୋବାଇଲ୍ ଫୋନ୍ କେସିଂ, କ୍ୟାମେରା ପାର୍ଟସ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଭାରତରେ ନିର୍ମିତ ହେବ।
ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଦେଶର ୮ଟି ରାଜ୍ୟରେ କାର୍ଯ୍ୟକାରୀ ହେବ ଏବଂ ଏହା ମାଧ୍ୟମରେ ପ୍ରାୟ ୩୪,୦୦୦ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ ବୋଲି ଆଶା କରାଯାଉଛି।
ଏହି ପ୍ରକଳ୍ପଗୁଡ଼ିକରୁ ପ୍ରାୟ ୨.୫୮ ଟ୍ରିଲିୟନ ଟଙ୍କାର ସାମଗ୍ରୀ ଉତ୍ପାଦନ ହେବାର ଲକ୍ଷ୍ୟ ରଖାଯାଇଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ଉତ୍ପାଦନ ୧୨୫ ବିଲିୟନ ଡଲାର ଥିବାବେଳେ, ସରକାର ୨୦୩୧ ସୁଦ୍ଧା ଏହାକୁ ୫୦୦ ବିଲିୟନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି।
ଭାରତ ଏହି ପଦକ୍ଷେପ ମାଧ୍ୟମରେ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ସହ ବିଶ୍ୱସ୍ତରରେ ଏକ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ହବ୍ ଭାବେ ଉଭା ହେବାକୁ ଚେଷ୍ଟା କରୁଛି।


