କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ ହେଉଥିଲା, କିନ୍ତୁ ଶ୍ରୀଲଙ୍କା ବ୍ୟାଟର ସୋନାଲ ଦିନୁଷାଙ୍କ ଚମତ୍କାର ବ୍ୟାଟିଂ ଭାରତର ଆଶା ଉପରେ ପାଣି ଢାଳିଦେଇଛି। ପ୍ରଥମ ଇନିଂସ ପରେ ଦ୍ୱିତୀୟ ପାରୀରେ ବି ସୋନାଲ ଦିନୁଷା ଦମଦାର ଶତକ ହାସଲ କରି ମ୍ୟାଚ୍‌ଟିକୁ ଡ୍ର କରିବାରେ ସଫଳ ହୋଇଛନ୍ତି। ଦିନୁଷାଙ୍କ ଏହି ଶତକୀୟ ଇନିଂସ ବଳରେ ଶ୍ରୀଲଙ୍କା ମ୍ୟାଚକୁ ଡ୍ର ରଖିଥିବା ବେଳେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (WTC) ପଏଣ୍ଟ ଟେବୁଲରେ ଟିମ ଇଣ୍ଡିଆକୁ ବଡ଼ କ୍ଷତି ସହିବାକୁ ପଡ଼ିଛି।

ଏହି ମ୍ୟାଚ ଡ୍ର ହେବା ଫଳରେ WTC ପଏଣ୍ଟ ଟେବୁଲରେ ଭାରତୀୟ ଦଳ ୫୧.୩୨ PCT ସହିତ ପଞ୍ଚମ ସ୍ଥାନରେ ହିଁ ଅଟକି ରହିଛି। ଯଦି ଭାରତ ଏହି ଟେଷ୍ଟ ଜିତିଥାନ୍ତା, ତେବେ ଚତୁର୍ଥ ସ୍ଥାନକୁ ଉଠିପାରିଥାନ୍ତା। ଅନ୍ୟପଟେ, ବାଂଲାଦେଶ ୫୫.୫୬ PCT ସହ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଶ୍ରୀଲଙ୍କା ୩୩.୩୩ PCT ସହ ଷଷ୍ଠ ସ୍ଥାନକୁ ଉଠିଛି। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ତାଲିକାର ଶୀର୍ଷ ୨ଟି ସ୍ଥାନରେ କାବିଜ ଥିବା ବେଳେ ପାକିସ୍ତାନ ସବୁଠାରୁ ତଳେ ଅର୍ଥାତ ଶେଷ ସ୍ଥାନରେ ରହିଛି।

କଲମ୍ବୋ ଟେଷ୍ଟ ଡ୍ର ହେବା ପରେ ଭାରତୀୟ ଦଳ ଫାଇନାଲରେ ପହଞ୍ଚିବା ନେଇ ଏବେ ଆଶଙ୍କା ଦେଖାଦେଇଛି। WTC ଫାଇନାଲ ରେସ୍‌ରେ ଜୀବନ୍ତ ରହିବାକୁ ହେଲେ ଭାରତକୁ ଏବେ ବିଜୟ ଟ୍ରାକ୍‌କୁ ଫେରିବାକୁ ପଡ଼ିବ। WTC କାଲେଣ୍ଡରରେ ଭାରତର ଆଉ ୭ଟି ଟେଷ୍ଟ ମ୍ୟାଚ୍‌ ବାକି ଅଛି ଏବଂ ଫାଇନାଲ୍‌ ଖେଳିବାକୁ ହେଲେ ଦଳକୁ ଯେକୌଣସି ପରିସ୍ଥିତିରେ ୬ଟି ମ୍ୟାଚ୍‌ ଜିତିବାକୁ ହେବ। ଯଦି ଟିମ୍‌ ଇଣ୍ଡିଆ ଆଗାମୀ ମ୍ୟାଚ୍‌ଗୁଡ଼ିକ ମଧ୍ୟରୁ ଗୋଟିଏରୁ ଅଧିକ ମ୍ୟାଚ ହାରେ କିମ୍ବା ଡ୍ର କରେ, ତେବେ ଫାଇନାଲରୁ ଦଳ ବାଦ ପଡ଼ିବା ନିଶ୍ଚିତ।

ଭାରତୀୟ ଦଳକୁ ଆଗାମୀ ଦିନରେ ଅକ୍ଟୋବର ମାସରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରି ୨ଟି ଟେଷ୍ଟ ମ୍ୟାଚ୍‌ର ସିରିଜ ଖେଳିବାର ଅଛି, ଯାହା ନ୍ୟୁଜିଲ୍ୟାଣ୍ଡ ମାଟିରେ ସହଜ ହେବନାହିଁ। ଏହାଛଡ଼ା ନିଜ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଟେଷ୍ଟ ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ସିରିଜ ବି ଖେଳିବାକୁ ପଡ଼ିବ। ଏହି କଠିନ ୭ଟି ମ୍ୟାଚ୍‌ରୁ ଭାରତ କିପରି ୬ଟିରେ ବିଜୟ ହାସଲ କରୁଛି, ତାହା ଦେଖିବା ବେଶ କୌତୂହଳପୂର୍ଣ୍ଣ ହେବ।

Dharitri – Odisha’s No.1 Odia Daily

Share