Posted inଖେଳ

ସାନ୍ତ୍ୱନାମୂଳକ ବିଜୟ ଲକ୍ଷ୍ୟରେ ଭାରତ: ସଇନିଙ୍କ ବଦଳରେ ନଟରାଜନ କିମ୍ବା ଶାର୍ଦ୍ଦୁଳ ଖେଳିବେ

କାନବେରା,୨।୧୨(ପି.ଟି.): ଅଷ୍ଟ୍ରେଲିଆଠାରୁ ପ୍ରଥମ ଦୁଇଟି ଦିନିକିଆରେ ପରାସ୍ତ ହେବା ପରେ ଭ୍ରମଣକାରୀ ଭାରତ ତୃତୀୟ ମ୍ୟାଚ୍‌ ଜିତି ସିରିଜ ହ୍ବାଇଟ୍‌ଓ୍ବାଶ୍‌କୁ ଏଡେଇବାକୁ ପ୍ରୟାସ କରିବ। ସିରିଜରେ ୦-୨ରେ ପଛରେ ପଡି ଭାରତ ସିରିଜ ହାତଛଡ଼ା କରିସାରିଛି। ବୁଧବାର ସ୍ଥାନୀୟ ମନୁକା ଓଭାଲ ଗ୍ରାଉଣ୍ଡରେ ଘରୋଇ ଦଳକୁ ହରାଇ ଭାରତ ସାନ୍ତ୍ୱନାମୂଳକ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। କ୍ରମାଗତ ଦୁଇଟି କ୍ଲିନ୍‌ ସୁଇପ୍‌କୁ ଏଡାଇବା ପାଇଁ ଭାରତ ଦଳରେ ଗୋଟିଏ ଦୁଇଟି ପରିବର୍ତ୍ତନ କରିବା ଆଶା କରାଯାଉଛି। ଖାସ୍‌ କରି ବୋଲିଂ ବିଭାଗରେ ପରିବର୍ତ୍ତନ ହେବା ନିଶ୍ଚିତ ମନେ ହେଉଛି। ଏହା ପୂର୍ବରୁ ଭାରତ ଗତବର୍ଷ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ୦-୩ରେ ଦିନିକିଆ ସିରିଜ ପରାଜୟ ବରଣ କରିଥିଲା।
ଏହି ମ୍ୟାଚ୍‌ରେ ବିଜୟୀ ହେବାକୁ ଆମେ ଦୃଢ଼ ନିଶ୍ଚିତ। ତେଣୁ ଅଷ୍ଟ୍ରେଲିଆକୁ ଏତେ ସହଜରେ କ୍ଲିନ୍‌ ସୁଇପ୍‌ କରିବାକୁ ଆମେ ଦେବୁନାହିଁ ବୋଲି ଭାରତୀୟ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର କହିଛନ୍ତି। ଯଦି ଭାରତ ପରାସ୍ତ ହୁଏ ତେବେ, ଦୀର୍ଘ ୨୦ ବର୍ଷ ପରେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ କ୍ଲିନ୍‌ ସୁଇପ୍‌ କରିବ। ନେଟ୍ସରେ ଆମ ବୋଲରମାନେ ସକାରାତ୍ମକ ମନୋଭାବ ସହିତ ଅଭ୍ୟାସ କରୁଛନ୍ତି। କେତୋଟି ନିଶ୍ଚିତ ଯୋଜାନାକୁ ଦୃଷ୍ଟିରେ ରଖି ଆମ ବୋଲରମାନେ ଅଭ୍ୟାସ କରିବା ଜାରି ରଖିଛନ୍ତି ବୋଲି ଆୟାର କହିଛନ୍ତି।
ହାଇସ୍କୋରିଂ ପ୍ରଥମ ଦୁଇଟି ଦିନିକିଆରେ ଅଷ୍ଟ୍ରେଲିଆ କୋହଲିଙ୍କ ଦଳକୁ ବୃହତ୍‌ ବ୍ୟବଧାନରେ ଚକ୍‌ମା ଦେଇଥିଲା। ମାନୁକା ଓଭାଲ ଅଷ୍ଟ୍ରେଲିଆର ସବୁଠାରୁ ଫ୍ଲାଟେଷ୍ଟ ପିଚ୍‌ ଓ ସବୁଠାରୁ ଲମ୍ବା ବାଉଣ୍ଡାରି ପାଇଁ ଜଣାଶୁଣା। ତେଣୁ ପ୍ରଥମ ଦୁଇଟି ଦିନିକିଆ ଭଳି ଏହି ମ୍ୟାଚ୍‌ ମଧ୍ୟ ହାଇସ୍କୋରିଂ ହେବ ଓ ଏଠାରେ ଦ୍ରୁତଗତିରେ ରନ୍‌ ସଂଗ୍ରହ ହେବ ବୋଲି ଆଶା କରାଯାଉଛି। ଆଉ ୨୩ ରନ ସଂଗ୍ରହ କଲେ କୋହଲି ଦିନିକିଆରେ ୧୨,୦୦୦ ରନ ପୂରଣ କରିବେ। ଏହି ମ୍ୟାଚ୍‌ ସହ ସେ ୨୪୨ଟି ଇନିଂସ ଖେଳି ଏହି ସଫଳତା ହାସଲ କରିବେ। ପୂର୍ବରୁ ସଚିନ ତେନ୍ଦୁଲକର ୩୦୦ ଇନିଂସ ଖେଳି ଦ୍ରୁତତମ ୧୨,୦୦୦ ରନ ପୂରଣ କରିଥିଲେ। ସେହିପରି ଆଉ ୨ ଉଇକେଟ ହାସଲ କଲେ ମହମ୍ମଦ ସାମି ଦିନିକିଆରେ ୧୫୦ ଉଇକେଟ ହାସଲ କରିବେ। ପାଗ ସଫା ଓ ଉଷ୍ଣ ରହିବ।
ପ୍ରଥମ ଦୁଇଟି ମ୍ୟାଚ୍‌ରେ ଆମେ ସବୁ ବିଭାଗରେ ସମ୍ପୂର୍ଣ୍ଣ ଭାବେ ପରାସ୍ତ ହୋଇଛୁ ବୋଲି ଅଧିନାୟକ କୋହଲି ସ୍ବୀକାର କରିଛନ୍ତି। ତେବେ ତ୍ରୁଟି ସୁଧାରି ଆମେ ପ୍ରତ୍ୟାବର୍ତ୍ତନ କରିବୁ ବୋଲି ସେ ଆଶା ପ୍ରକାଶ ପ୍ରକାଶ କରିଛନ୍ତି। ନିଜର ପ୍ରଥମ ଅଷ୍ଟ୍ରେଲିଆ ଗସ୍ତରେ ଦ୍ରୁତତମ ବୋଲର ନବଦୀପ ସଇନି ଅସହାୟ ମନେହେଉଛନ୍ତି। ମାତ୍ର ୭ ଓଭରରେ ସଇନି ୭୦ ରନ ବ୍ୟୟ କରିଥିଲେ। ଫଳରେ ତାଙ୍କ କୋଟା ପୂରଣ କରିବାକୁ କୋହଲି ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ମୟଙ୍କ ଅଗ୍ରଓ୍ବାଲଙ୍କୁ ବୋଲିଂ ଦେଇଥିଲେ। ଏବେ ୨୭ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ସାରିଥିବା ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର କିମ୍ବା ୟର୍କର ସେନ୍‌ସେସନ ବାମହାତୀ ପେସର ଟି. ନଟରାଜନଙ୍କୁ ସଇନିଙ୍କ ସ୍ଥାନରେ ଖେଳାଯିବା ଏକପ୍ରକାର ନିଶ୍ଚିତ ମନେହେଉଛି। ଟି୨୦ ସିରିଜ ପୂର୍ବରୁ ନଟରାଜନ ଦିନିକିଆରେ ପଦାର୍ପଣ କରିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି। ପୁଣି ଟେଷ୍ଟ ସିରିଜ ପୂର୍ବରୁ ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦେବାକୁ ଶାର୍ଦ୍ଦୁଳ ଓ ନଟରାଜନ ଉଭୟଙ୍କୁ କୋହଲି ସୁଯୋଗ ଦେଇ ପାରନ୍ତି।
ବୋଲିଂରେ ବିବିଧତା ଓ ଗତି ପରିବର୍ତ୍ତନ କରି ନଟରାଜନ ବେଶ୍‌ ଚତୁର ବୋଲିଂ କରିଥାନ୍ତି। ସେ ମଧ୍ୟ ବଲ୍‌ ସୁଇଂ କରିବାରେ ସମର୍ଥ। ତେଣୁ ସେ ଘରୋଇ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇବେ ବୋଲି ଆଶା କରାଯାଉଛି। ପୂର୍ବରୁ ଅଷ୍ଟ୍ରେଲିଆରେ ଭାରତୀୟ ବୋଲରମାନେ ଏଭଳି ପ୍ରହାର ଖାଇ ନ ଥିଲେ। ଭାରତୀୟ ବୋଲରମାନେ ଗତ ଦୁଇଟି ମ୍ୟାଚ୍‌ରେ ୬୯ ଚୌକା ଓ ୧୯ଟି ଛକା ଦେଇଛନ୍ତି। ବୋଲରଙ୍କ ପ୍ରଦର୍ଶନ ନିଶ୍ଚିତ ଭାବେ ଆଶାନୁରୂପ ହୋଇପାରିନାହିଁ ବୋଲି କୋହଲି ସ୍ବୀକାର କରିଛନ୍ତି। ଷ୍ଟିଭ୍‌ ସ୍ମିଥ୍‌ଙ୍କୁ କେଉଁଠାରେ ଓ କିଭଳି ବୋଲିଂ କରାଯିବ ଭାରତୀୟ ବୋଲରମାନେ ଜାଣି ନ ଥିଲେ। କ୍ରମାଗତ ଦୁଇଟି ଶତକ ହାସଲ କରି ସ୍ମିଥ୍‌ ଭାରତକୁ ନିରାଶ କରିଛନ୍ତି। ଧୂଆଁଧାର ବ୍ୟାଟିଂ କରି ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଦଳକୁ ଅଧିକ ୩୦ ରନର ଯୋଗଦାନ କରିଛନ୍ତି। ଫଳରେ ଭାରତ ୬୬ ଓ ୫୧ ରନରେ ପରାସ୍ତ ହୋଇଥିଲା। ବାରମ୍ବାର ବୋଲିଂ ପରିବର୍ତ୍ତନ କରି କୋହଲି ସମାଲୋଚିତ ହୋଇଛନ୍ତି। ଓପନିଂ ସ୍ପେଲ୍‌ରେ ଯଶପ୍ରୀତ ବୁମ୍‌ରାଙ୍କୁ ଦୁଇ ଓଭର ବୋଲିଂ କରିବାର ସୁଯୋଗ ଦେଇଥିବାରୁ କୋହଲିଙ୍କୁ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଓ ଆଶିଷ ନେହେରା ସମାଲୋଚନା କରିଛନ୍ତି। ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ସବୁଠାରୁ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଛନ୍ତି। ସେ ୧୯ ଓଭରରେ ୧୬୦ ରନ ବ୍ୟୟ କରି ମାତ୍ର ଗୋଟିଏ ଉଇକେଟ ହାସଲ କରିଛନ୍ତି। ସେହିପରି ରବୀନ୍ଦ୍ର ଜାଡେଜା ୬.୧୫ ହାରରେ ରନ ବ୍ୟୟ କରିଛନ୍ତି ଓ ଦୁଇଟି ମ୍ୟାଚ୍‌ରେ ଉଇକେଟ ହାସଲ କରିପାରି ନାହାନ୍ତି। କୋହଲି ଓ ରାହୁଲ ଦ୍ୱିତୀୟ ଦିନିକିଆରେ ଭଲ ବ୍ୟାଟିଂ କରିଥିଲେ। ରାହୁଲ ଦ୍ୱିତୀୟ ପାଓ୍ବାର ପ୍ଲେରେ ଷ୍ଟ୍ରାଇକ୍‌ ରୋଟେଟ୍‌ କରିପାରି ନ ଥିଲେ। ତେବେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଭାରତ ୩୩୫- ୩୪୦ ରନର ସ୍କୋରକୁ ଚେଜ୍‌ କରିପାରିଥାନ୍ତା। କିନ୍ତୁ ବଡ଼ ଟାର୍ଗେଟ କାରଣରୁ ଭାରତ ସଫଳ ହୋଇପାରି ନ ଥିଲା
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ଶୁବମନ ଗିଲ, ଲୋକେଶ ରାହୁଲ (ଉପଅଧିନାୟକ ଓ ଉଇକେଟକିପର), ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରଓ୍ବାଲ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ନବଦୀପ ସଇନି, ଶାର୍ଦ୍ଦୁଳ ଠାକୁର ଓ ଟି. ନଟରାଜନ।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଡି’ଅର୍କି ଶର୍ଟ, ଷ୍ଟିଭ୍‌ ସ୍ମିଥ୍‌, ମାର୍ନସ ଲାବୁସେନ, ଗ୍ଲେନ ମ୍ୟାକ୍ସଓ୍ବେଲ, ଆଲେକ୍ସ କାରେ (ଉଇକେଟକିପର), ମିଲେ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ ହାଜେଲଉଡ୍‌, ସିନ ଆବୋଟ, ଆଷ୍ଟନ ଅଗର, କାମେରନ ଗ୍ରୀନ୍‌, ମୋଇସେସ୍‌ ହେନେରିକ୍ସ, ଆଣ୍ଡ୍ୟୁ ଟାଏ, ଡାନିଏଲ୍‌ ସାମ୍ସ, ମାଥ୍ୟୁ ଓ୍ବେଡ୍‌ (ଉଇକେଟକିପର)।
ମ୍ୟାଚ୍‌ ଆରମ୍ଭ: ୯.୧୦
ଭେନ୍ୟୁ: କାନବେରା


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri