ନୂଆଦିଲ୍ଲୀ,୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟି-୨୦ ସିରିଜ୍କୁ ୩-୨ରେ ଜିତିଛି ଟିମ୍ ଇଣ୍ଡିଆ। ସିରିଜ୍ର ପ୍ରଥମ ତିନୋଟି ମ୍ୟାଚ୍ରେ ଭାରତୀୟ ବ୍ୟାଟର୍ମାନେ କିୱି ବୋଲରଙ୍କୁ ନାକେଦମ୍ କରିଥିବା ବେଳେ ଚତୁର୍ଥ ଓ ପଞ୍ଚମ ମ୍ୟାଚ୍ରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା ନ୍ୟୁଜିଲାଣ୍ଡ। ତେବେ ସିରିଜ୍ ଭାରତ ନାଁରେ ହୋଇଛି । ଏବେ ଉଭୟ ଦଳ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍। କିନ୍ତୁ ଏହି ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ଏକ ରେକର୍ଡ ଚିନ୍ତା ବଢ଼ାଇଛି । ଗତ ୭ ବର୍ଷ ହେଲା ନ୍ୟୁଜିଲାଣ୍ଡ ମାଟିରେ ଭାରତ ଗୋଟିଏ ବି ଦିନିକିଆ ମ୍ୟାଚ୍ ଜିତିନାହିଁ ।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ନଭେମ୍ବର ୪ରୁ ଆରମ୍ଭ ହେବ । ଏହା ପୂର୍ବରୁ ଉଭୟ ଦଳର ହେଡ୍ ଟୁ ହେଡ୍ ରେକର୍ଡ ଉପରେ ନଜର ପକାଇଲେ, ଭାରତର ପଲ୍ଲା ଭାରୀ ରହିଛି। ଏପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ୧୨୩ଟି ଦିନିକିଆ ମ୍ୟାଚ୍ ଖେଳାଯାଇଛି । ଏଥିରୁ ଭାରତ ୬୩ଟି ମ୍ୟାଚ୍ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ୫୨ଟି ମ୍ୟାଚ୍ରେ ବିଜୟୀ ହୋଇଛି । ୭ଟି ମ୍ୟାଚ୍ର ଫଳାଫଳ ବାହାରିନଥିବା ବେଳେ ଗୋଟିଏ ମ୍ୟାଚ୍ ଟାଇ ରହିଛି।ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପ୍ରଦର୍ଶନ ଭଲ ରହିଥିଲେ ମଧ୍ୟ କିୱି ମାଟିରେ ଦଳର ରେକର୍ଡ ନିରାଶାଜନକ । ନ୍ୟୁଜିଲାଣ୍ଡରେ ଭାରତ ଏପର୍ଯ୍ୟନ୍ତ ୪୫ଟି ଦିନିକିଆ ଖେଳିଛି । ଏଥିରୁ ମାତ୍ର ୧୪ଟି ମ୍ୟାଚ୍ରେ ବିଜୟୀ ହୋଇଛି। ଅନ୍ୟପଟେ ଘରୋଇ ଦଳ ଭାରତକୁ ୨୬ଟି ମ୍ୟାଚ୍ରେ ପରାସ୍ତ କରିଛି । ଗୋଟିଏ ମ୍ୟାଚ୍ ଟାଇ ରହିଥିବା ବେଳେ ୪ଟି ମ୍ୟାଚ୍ର ଫଳାଫଳ ବାହାରିନାହିଁ।
ନ୍ୟୁଜିଲାଣ୍ଡ ମାଟିରେ ଭାରତ ଶେଷ ଥର ପାଇଁ ୩ ଫେବୃଆରୀ ୨୦୧୯ରେ ଦିନିକିଆ ମ୍ୟାଚ୍ ଜିତିଥିଲା। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୫୨ ରନ୍ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ଦଳ ମାତ୍ର ୨୧୭ ରନ୍ କରିପାରିଥିଲା। ଫଳରେ ଭାରତ ୩୫ ରନ୍ରେ ମ୍ୟାଚ୍ ଜିତିଥିଲା। ଏହା ପରଠାରୁ ନ୍ୟୁଜିଲାଣ୍ଡ ମାଟିରେ ଦିନିକିଆ ବିଜୟ ପାଇଁ ଅପେକ୍ଷା କରିଛି ଟିମ୍ ଇଣ୍ଡିଆ। ୨୦୧୯ ପରେ ଭାରତୀୟ ଦଳ ଦୁଇଥର ନ୍ୟୁଜିଲାଣ୍ଡ ଗସ୍ତ କରିଛି। କିନ୍ତୁ ଉଭୟ ଗସ୍ତରେ ଦିନିକିଆ ସିରିଜ୍ରେ ଭାରତକୁ ବିଜୟ ମିଳିନାହିଁ ।
୨୦୨୦ରେ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ଭାରତକୁ ୩-୦ରେ ପରାସ୍ତ କରିଥିଲା। ସେହିପରି ୨୦୨୨ ଗସ୍ତରେ ପ୍ରଥମ ଦିନିକିଆରେ କିୱି ଦଳ ବିଜୟୀ ହୋଇଥିଲା। ଏହାପରେ ବାକି ଦୁଇଟି ମ୍ୟାଚ୍ ବର୍ଷା ଯୋଗୁଁ ଖେଳାଯାଇପାରିନଥିଲା। ଏବେ ୨୦୨୬ରେ ପୁଣି ଥରେ ନ୍ୟୁଜିଲାଣ୍ଡ ମାଟିରେ ଦିନିକିଆ ସିରିଜ୍ ଖେଳିବାକୁ ଯାଉଛି ଭାରତ।