Categories: ଜାତୀୟ

ସ୍ୱାଧିନ ଭାରତର ପ୍ରଥମ ଭୋଟର ଶ୍ୟାମ ସରନ ନେଗିଙ୍କ ପରଲୋକ, ୨ ନଭେମ୍ବରରେ ଦେଇଥିଲେ ଶେଷ ଭୋଟ

କିନ୍ନୋର,୫ ।୧୧: ସ୍ୱାଧିନ ଭାରତର ପ୍ରଥମ ଭୋଟର ଶ୍ୟାମ ସରନ ନେଗିଙ୍କର ଶନିବାର ସକାଳେ ପରଲୋକ ହୋଇଛି । ହିମାଚଳ ପ୍ରଦେଶର କିନ୍ନୋର ନିବାସୀ ନେଗି ୧୦୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୨ ନଭେମ୍ବରରେ ତାଙ୍କର ପୋଷ୍ଟାଲ ବାଲାଟ ଭୋଟ ଦେଇଥିଲେ । କିନ୍ନୋରର ଡିସି ଆବିଦ ହୁସେନ କହିଛନ୍ତି ଜିଲା ପ୍ରଶାସନ ସବୁଠାରୁ ବରିଷ୍ଠ ମତଦାତାଙ୍କ ଅନ୍ତିମ ସଂସ୍କାରର ବ୍ୟବସ୍ଥା କରିଛି । ତାଙ୍କୁ ସମ୍ମାନ ପୂର୍ବକ ବିଦାୟ ଦେବାକୁ ସବୁ ବ୍ୟବସ୍ଥା କରାଯାଉଛି ।

ସୂଚନାଯୋଗ୍ୟ, ଜୁଲାଇ ୧୯୧୭ରେ ଜନ୍ମ ନେଇଥିବା ନେଗି ୧୯୫୧ରୁ ଏବେ ପର୍ଯ୍ୟନ୍ତ ୧୬ ଥର ଲୋକ ସଭା ନିର୍ବାଚନ ପାଇଁ ଭୋଟ ଦେଇଥିଲେ । ୨୦୧୪ରୁ ସେ ହିମାଚଳର ନିର୍ବାଚନ ଆଇକନ ବି ଥିଲେ । ନେଗି ୧୯୫୧ରୁ ସବୁ ନିର୍ବାଚନରେ ଭୋଟ ଦେଇଛନ୍ତି । ଶେଷ ଥର ଭୋଟ ଦେବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ମନିଷ ଗର୍ଗ ବି ଶତାୟୁ ଭୋଟର ଶ୍ୟାମ ସରନ ନେଗିଙ୍କୁ ଶୁଭେଚ୍ଛା ଜଣାଥିଲେ । ବିଧାନସଭା ନିର୍ବାଚନ ପାଇଁ ୩୪ ଥର ଭୋଟ ଦେଇଥିବା ନେଗି ଏଥର ବି ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇ ଭୋଟ ଦେବାକୁ କହିଥିଲେ ହେଲେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯିବରୁ ଘରେ ସେ ପ୍ରଥମ ଥର ଲାଗି ପୋଷ୍ଟାଲ ବାଲାଟରେ ଭୋଟ ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଧନ୍ୟବାଦ ଦେବା ସହ ସେ ଯୁବବର୍ଗଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ । ଏହାଦ୍ୱାରା ଅନ୍ୟମାନେ ଭୋଟ ଦେବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ମୋଦି କହିଥିଲେ ।

Share