ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ, ଚପଲ ଫିଙ୍ଗିଲେ ମହିଳା

ଭଦ୍ରକ ଅଫିସ, ୨୯ା୧୦: ଭଦ୍ରକ କାଳୀପୂଜା ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟକୁ ବିରୋଧ କରି ଜଣେ ମହିଳା ଚପଲ ଫିଙ୍ଗିଛନ୍ତି। ଗୁରୁବାର ରାତିରେ ଏଭଳି ଘଟଣା ଘଟିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏକ ଯାତ୍ରା ମଞ୍ଚରେ ଆଲ୍‌ବମ ଜଗତର ଜଣେ ଅଭିନେତ୍ରୀ ନୃତ୍ୟ ପ୍ରଦର୍ଶନ କରୁଥିଲେ। ତାଙ୍କ ନୃତ୍ୟରେ ଶତାଧିକ ଦର୍ଶକ ଝୁମି ଚାଲିଥିବା ବେଳେ ଜଣେ ମହିଳା ନିଜର କ୍ରୋଧ ପ୍ରକାଶ କରି ମଞ୍ଚ ଉପରକୁ ଚପଲ ଫିଙ୍ଗିଥିଲେ। ଏପରିକି ନାଚ ସରିବା ପରେ ସେ ମଞ୍ଚ ଉପରକୁ ଉଠିଯାଇ ବିରୋଧ କରିଥିଲେ। କଳାକାର ଜଣଙ୍କ ସମସ୍ତଙ୍କ ସମ୍ମୁଖରେ ଭୁଲ୍‌ ମାଗିବାକୁ ସେ ଜିଦ୍‌ ଧରିଥିଲେ। ଏଥିପାଇଁ ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଯାତ୍ରା ମଞ୍ଚସ୍ଥ ହେବାରେ ବାଧା ସୃଷ୍ଟି ହୋଇଥିଲା। ଯାତ୍ରା ପାର୍ଟିର ସେ କଳାକାର ହୋଇ ନ ଥିବା ଏବଂ କମିଟି ତାଙ୍କୁ ଆଣିଥିବାରୁ ଯାତ୍ରାପାର୍ଟିର କିଛି ଭୂମିକା ନାହିଁ ବୋଲି ଘୋଷଣା କରାଯାଇଥିଲା। କମିଟି ତରଫରୁ ଉକ୍ତ ମହିଳାଙ୍କୁ ବୁଝାଶୁଝା ପରେ ପୁଣି ଯାତ୍ରା ମଞ୍ଚସ୍ଥ ହୋଇଥିଲା।