Categories: ଖେଳ

ଟେଷ୍ଟରେ ଶୁବମାନ ଗିଲ୍‌ଙ୍କ ପ୍ରଦର୍ଶନ ବଢାଇପାରେ ଟିମ ଇଣ୍ଡିଆର ଟେନସନ୍‌

ନୂଆଦିଲ୍ଲୀ,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ଏହି ମ୍ୟାଚରେ ଶୁବମାନ ଗିଲ କିଛି ବିଶେଷ ପ୍ରଦର୍ଶନ କରିପାରି ନାହାନ୍ତି। ପ୍ରଥମ ଇନିଂସରେ ୨ ରନ୍‌ ଏବଂ ଦ୍ୱିତୀୟ ଇନିଂସରେ ୨୬ ରନ୍‌ ସ୍କୋର କରିବା ପରେ ଶୁବମାନ ଆଉଟ ହୋଇଥିଲେ। ଟେଷ୍ଟ ଫର୍ମାଟରେ ତାଙ୍କର ପ୍ରଦର୍ଶନ ଟିମ ଇଣ୍ଡିଆର ଚିନ୍ତା ବଢାଇପାରେ । ଚଳିତ ବର୍ଷ ଗିଲ ମାତ୍ର ଗୋଟିଏ ଶତକ କରିଛନ୍ତି। ଅବଶିଷ୍ଟ ମ୍ୟାଚରେ ସେ ଅର୍ଦ୍ଧଶତକ ମଧ୍ୟ କରିପାରି ନାହାନ୍ତି।

ଶୁବମାନ ଏ ପର୍ଯ୍ୟନ୍ତ ମୋଟ ୧୯ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହି ସମୟରେ ସେ ୯୯୪ରନ ସ୍କୋର କରିଛନ୍ତି। ଗିଲ ୨ ଶତକ ଏବଂ ୪ ଅର୍ଦ୍ଧଶତକ ହାସଲ କରିଛନ୍ତି । ଟେଷ୍ଟରେ ତାଙ୍କର ସର୍ବୋତ୍ତମ ସ୍କୋର ୧୩୮ ହୋଇଛି। ଗତ ଦୁଇ ବର୍ଷ ମଧ୍ୟରେ ଗିଲ ଟେଷ୍ଟ ଫର୍ମାଟରେ କିଛି ଖାସ୍‌ କରିପାରିନାହାନ୍ତି। ସେ ଚଳିତ ବର୍ଷ ୬ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହି ସମୟରେ ସେ ଗୋଟିଏ ଇନିଂସରେ ଶତକ ହାସଲ କରିଥିଲେ। ଅବଶିଷ୍ଟ ମ୍ୟାଚ ଇନିଂସରେ ସେ ଅର୍ଦ୍ଧଶତକ ହାସଲ କରିପାରି ନ ଥିଲେ। ସେହିପରି ଗିଲ ୨୦୨୨ରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ଗୋଟିଏ ଶତକ ହାସଲ କରି ଅବଶିଷ୍ଟ ଇନିଂସରେ ଫ୍ଲପ କରିଥିଲେ।

ଚଳିତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ଶୁବମାନ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ। ଏହି ମ୍ୟାଚର ପ୍ରଥମ ଇନିଂସରେ ୨୧ ରନ୍‌ ଏବଂ ଦ୍ୱିତୀୟ ଇନିଂସରେ ୫ ରନ ସ୍କୋର କରିଥିଲେ। ଏହା ପରେ ଅହମ୍ମଦାବାଦରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ମ୍ୟାଚ ଖେଳାଯାଇଥିଲା। ସେ ଏହି ମ୍ୟାଚର ଗୋଟିଏ ଇନିଂସରେ ୧୨୮ ରନ୍‌ ସଂଗ୍ରହ କରିଥିଲେ। ଜୁନରେ ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଶୁବମାନ ଏକ ମ୍ୟାଚ ଖେଳିଥିଲେ। ସେ ଏହି ମ୍ୟାଚର ପ୍ରଥମ ଇନିଂସରେ ୧୩ ରନ୍‌ ଏବଂ ଦ୍ୱିତୀୟ ଇନିଂସରେ ୧୮ ରନ୍‌ ସଂଗ୍ରହ କରିଥିଲେ। ଏହା ପରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୬ ଏବଂ ୧୦ ରନ୍‌ ସ୍କୋର କରିଥିଲେ।

Share