ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ର ଟସ୍ ଘନ କୁହୁଡ଼ି ଯୋଗୁଁ ବିଳମ୍ବ ହୋଇଛି। ଷ୍ଟାଡିୟମରେ ଏତେ ମାତ୍ରାରେ କୁହୁଡ଼ି ଘେରି ରହିଛି ଯେ, ମ୍ୟାଚ୍ ହେବ କି ନାହିଁ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ ଅଭ୍ୟାସ ସମୟରେ ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମାସ୍କ ପିନ୍ଧିଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହାରି ଭିତରେ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଖବର ଆସିଛି। ଭାରତୀୟ ଦଳର ଉପ-ଅଧିନାୟକ ଶୁଭମାନ ଗିଲ୍ ପାଦରେ ଆଘାତ ଯୋଗୁଁ ସମ୍ପୂର୍ଣ୍ଣ ଟି-୨୦ ସିରିଜରୁ ବାଦ୍ ପଡ଼ିଥିବା ସୂଚନା ମିଳିଛି। ଭାରତ ବର୍ତ୍ତମାନ ସିରିଜରେ ୨-୧ରେ ଆଗୁଆ ରହିଛି ଏବଂ ଆଜିର ମ୍ୟାଚ୍ ଜିତି ସିରିଜ୍ କବ୍ଜା କରିବାକୁ ଲକ୍ଷ୍ୟ ରଖିଛି।
ଦଳ ଦୁଇଟି ମ୍ୟାଚ୍ ଜିତିଥିଲେ ମଧ୍ୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଖରାପ ଫର୍ମ ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆଜି ସେ ଏକ ବଡ଼ ମାଇଲଖୁଣ୍ଟ ମଧ୍ୟ ହାସଲ କରିପାରନ୍ତି। ଅନ୍ୟପଟେ, ଏଡେନ୍ ମାର୍କରାମଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍ ଜିତି ସିରିଜ୍କୁ ବରାବର କରିବାକୁ ପ୍ରୟାସ କରିବ।
ବର୍ତ୍ତମାନ ସୁଦ୍ଧା ଏକାନା ଷ୍ଟାଡିୟମରେ କୁହୁଡ଼ି ଘନୀଭୂତ ହେବାରେ ଲାଗିଛି ଏବଂ ମ୍ୟାଚ୍ ଆୟୋଜନ ହେବା ନେଇ ଅନିଶ୍ଚିତତା ଲାଗି ରହିଛି।


