ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ କୁହୁଡ଼ି ଯୋଗୁଁ ଗୋଟିଏ ବି ବଲ୍ ଫିଙ୍ଗାଯାଇପାରିଲା ନାହିଁ କିମ୍ବା ଟସ୍ ମଧ୍ୟ ହୋଇପାରିଲା ନାହିଁ।
ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟାରେ ମ୍ୟାଚ୍ ଆରମ୍ଭ ହେବାର ଥିଲା, ମାତ୍ର ଉଭୟ ଦଳର ଅମ୍ପାୟର ପ୍ରାୟ ଅଢ଼େଇ ଘଣ୍ଟା ଅପେକ୍ଷା କରିବା ପରେ ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ମ୍ୟାଚ୍କୁ ବାତିଲ୍ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପାଞ୍ଚ-ପାଞ୍ଚ ଓଭରର ମ୍ୟାଚ୍ ପାଇଁ ରାତି ୯ଟା ୪୬ ମିନିଟ୍କୁ କଟ୍-ଅଫ୍ ଟାଇମ୍ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ତା’ର ୧୬ ମିନିଟ୍ ପୂର୍ବରୁ ହିଁ ଅମ୍ପାୟରମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ଭାରତ ବର୍ତ୍ତମାନ ୨-୧ରେ ଆଗୁଆ ରହିଛି। ଚତୁର୍ଥ ମ୍ୟାଚ୍ ବାତିଲ ହେବା ଫଳରେ ଭାରତ ଏବେ ଶୃଙ୍ଖଳା ହାରିବାର ଆଶଙ୍କା ନାହିଁ। ବର୍ତ୍ତମାନ କେବଳ ଶେଷ ଟି-୨୦ ମ୍ୟାଚ୍ଟି ବାକି ରହିଲା। ଏଣୁ ଏହି ଶୃଙ୍ଖଳା ସର୍ବାଧିକ ୨-୨ରେ ଡ୍ର ହୋଇପାରେ। ଶୃଙ୍ଖଳାର ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।


