ନୂଆଦିଲ୍ଲୀ୧୨।୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ୫୧ ରନରେ ପରାଜୟ ବରଣ କରିଥିଲା। ଏହି ପରାଜୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସବୁଠାରୁ ନିରାଶ ହୋଇଥିଲେ। ଦକ୍ଷିଣ ଆଫ୍ରିକା ୨୧୩ ରନର ବିଶାଳ ସ୍କୋର କରିଥିବା ବେଳେ ଭାରତୀୟ ଦଳ କେବଳ 162 ରନ କରି ଅଟକି ଯାଇଥିଲା।ମ୍ୟାଚ୍ ଶେଷ ହେବା ପରେ ପରେ ସୂର୍ଯ୍ୟକୁମାକ ଦଳର ଭୁଲ ବିଷୟରେ ଖୋଲାଖୋଲି କହିଥିଲେ । ବିଶେଷକରି ଟପ୍ ଅର୍ଡରର ବିଫଳତା ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।
ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ପଡିଲା ମହଙ୍ଗା- ସୂର୍ଯ୍ୟକୁମାର ଯାଦବ ସ୍ୱୀକାର କରିଥିଲେ ଯେ ଟସ୍ ଜିତି ପ୍ରଥମେ ବୋଲିଂ କରିବା ଏକ ବଡ଼ ଭୁଲ ପ୍ରମାଣିତ ହୋଇଥିଲା। ସେ କହିଥିଲେ, ମୁଁ ଭାବୁଛି ଆମକୁ ପ୍ରଥମେ ବ୍ୟାଟିଂ କରିବା ଉଚିତ୍ ଥିଲା। ପ୍ରାରମ୍ଭିକ ଓଭରଗୁଡ଼ିକରେ ୱିକେଟ୍ ବ୍ୟାଟିଂ ପାଇଁ ଭଲ ଥିଲା। ଆମେ ବୋଲିଂ କରିବା ସମୟରେ ଲେନ୍ଥ ଠିକ୍ ଭାବରେ ପାଇ ନଥିଲୁ ଏବଂ ଏହା ଆମକୁ ମହଙ୍ଗା ପଡ଼ିଲା। ଦକ୍ଷିଣ ଆଫ୍ରିକା ପାୱାରପ୍ଲେରେ ଶୀଘ୍ର ସ୍କୋର କରିଥିଲା ଏବଂ ଭାରତୀୟ ବୋଲରମାନେ ନିରନ୍ତର ଚାପରେ ଥିଲେ।
ମୁଲାନପୁରରେ କାକର ପଡ଼ିବା ଯୋଗୁଁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ସହଜ ହେବ ବୋଲି ଆଶା କରାଯାଉଥିଲା, କିନ୍ତୁ ଟିମ୍ ଇଣ୍ଡିଆ ଏହାର ଫାଇଦା ଉଠାଇପାରିଲା ନାହିଁ। ସୂର୍ଯ୍ୟକୁମାର କହିଥିଲେ, “କିଛି କାକର ପଡ଼ିଥିଲା, କିନ୍ତୁ ଆମର ଯୋଜନା କାମ କରୁନଥିଲା। ଆମକୁ ଆମର ଯୋଜନା ବଦଳାଇବା ଉଚିତ ଥିଲା, କିନ୍ତୁ ଆମେ କରିପାରିଲୁ ନାହିଁ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପରାଜୟ ଦଳ ପାଇଁ ଏକ ଶିକ୍ଷା ଏବଂ ଭବିଷ୍ୟତରେ ସେମାନେ ଉନ୍ନତି କରିବେ ।
ଟପ୍ ଅର୍ଡରରେ ରାଗିଗଲେ ଅଧିନାୟକ-ଏହି ମ୍ୟାଚରେ ଭାରତର ଟପ୍ ଅର୍ଡର ବ୍ୟାଟିଂ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ ଗିଲ୍ ଉଭୟ ଏକ ଦୃଢ଼ ଆରମ୍ଭ ପ୍ରଦାନ କରିବାରେ ବିଫଳ ହୋଇଥିଲେ। ବିଶେଷକରି ଗିଲ୍ ପ୍ରଥମ ବଲରେ ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ସ୍ପଷ୍ଟ ଭାବରେ କହିଥିଲେ ଯେ, “ଶୁଭମନ ଏବଂ ମୁଁ ଏକ ଭଲ ଆରମ୍ଭ ଦେବା ଉଚିତ ଥିଲା। ଆମେ ସବୁବେଳେ ଅଭିଷେକ ଶର୍ମାଙ୍କଠାରୁ ପ୍ରଦର୍ଶନ ଆଶା କରିପାରିବା ନାହିଁ। ଶୁଭମନ ମଧ୍ୟ ପ୍ରଥମ ବଲରେ ହିଁ ଆଉଟ୍ ହୋଇଗଲେ। ଏହା ପରେ, ମୁଁ ଏକ ଲମ୍ବା ଇନିଂସ ଖେଳି ଦଳକୁ ସ୍ଥିର କରିବା ଉଚିତ ଥିଲା।” ଅଧିନାୟକ ସ୍ୱୀକାର କରିଥିଲେ ଯେ ତାଙ୍କର ଏବଂ ଗିଲଙ୍କ ବିଫଳତା ଦଳର ପରାଜୟର ଏକ ପ୍ରମୁଖ କାରଣ ଥିଲା।


