Categories: Home Leftଖେଳ

IND vs NZ ସିରିଜ ମଝିରେ ହଲଚଲ, ନ୍ୟୁଜିଲାଣ୍ଡ ଦଳରୁ ବାଦ୍‌ ପଡିଲେ ୫ ଖେଳାଳି, ହେଲା ବଡ଼ ଅଦଳବଦଳ

ନୂଆଦିଲ୍ଲୀ,୬।୧୧: ଭାରତ ବିପକ୍ଷରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ମଧ୍ୟରେ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ନ୍ୟୁଜିଲାଣ୍ଡର ଦିନିକିଆ ଏବଂ ‘ଏ’ ଦଳରେ ୫ଟି ବଡ଼ ପରିବର୍ତ୍ତନ କରାଯାଇଛି। ଦଳର ଅଭିଜ୍ଞ ଓପନର୍‌ ଡେଭନ କନୱେ ଆହତ କାରଣରୁ ଭାରତ ବିପକ୍ଷ ବାକି ୪ଟି ଦିନିକିଆ ମ୍ୟାଚରୁ ବାଦ ପଡ଼ିଛନ୍ତି। ସିରିଜ ଆରମ୍ଭ ପୂର୍ବରୁ ଅଭ୍ୟାସ ସମୟରେ ମ୍ୟାଟ ହେନରୀଙ୍କ ସହ ଧକ୍କା ହେବା ଯୋଗୁ କନୱେଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହି କାରଣରୁ ସେ ପ୍ରଥମ ଦିନିକିଆ ମ୍ୟାଚ ମଧ୍ୟ ଖେଳିପାରି ନଥିଲେ। ଏବେ ତାଙ୍କ ସ୍ଥାନରେ ନିକ କେଲିଙ୍କୁ ନ୍ୟୁଜିଲାଣ୍ଡ ଦିନିକିଆ ଦଳରେ ସାମିଲ କରାଯାଇଛି। ଏହାବ୍ୟତୀତ ଇଣ୍ଡିଆ ‘ଏ’ ବିପକ୍ଷ ଶେଷ ଅଣଆନୁଷ୍ଠାନିକ ଟେଷ୍ଟ ପାଇଁ ନ୍ୟୁଜିଲାଣ୍ଡ ‘ଏ’ ଦଳରେ ମଧ୍ୟ ୪ଟି ପରିବର୍ତ୍ତନ ହୋଇଛି।

ଆଘାତ କାରଣରୁ ନ୍ୟୁଜିଲାଣ୍ଡର ଓପନର୍‌ ଡେଭନ କନୱେ ଭାରତ ବିପକ୍ଷ ଦିନିକିଆ ସିରିଜ୍ର ବାକି ୪ଟି ମ୍ୟାଚରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ବାମହାତୀ ବ୍ୟାଟର୍‌ ନିକ କେଲିଙ୍କୁ ଦଳରେ ସୁଯୋଗ ମିଳିଛି। ପ୍ରଥମେ କେବଳ ଚତୁର୍ଥ ଓ ପଞ୍ଚମ ଦିନିକିଆ ପାଇଁ କେଲିଙ୍କୁ ଚୟନ କରାଯାଇଥିଲା। କିନ୍ତୁ ଏବେ ସେ ପ୍ରଥମ ୩ଟି ମ୍ୟାଚ ପାଇଁ ମଧ୍ୟ ଉପଲବ୍ଧ ରହିବେ।

ଏହା ପୂର୍ବରୁ ସେ ଇଣ୍ଡିଆ ‘ଏ’ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅଣଆନୁଷ୍ଠାନିକ ସିରିଜରେ ନ୍ୟୁଜିଲାଣ୍ଡ ‘ଏ’ ଦଳର ସଦସ୍ୟ ଥିଲେ। ୩୩ ବର୍ଷୀୟ ନିକ କେଲି ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ପାଇଁ ୮ଟି ଦିନିକିଆ ଏବଂ ୯ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ୨୦୨୫ରେ ପାକିସ୍ତାନ ବିପକ୍ଷରେ ସେ ଦିନିକିଆରେ ପଦାର୍ପଣ କରିଥିଲେ। ତେବେ ଏପର୍ଯ୍ୟନ୍ତ ଭାରତ ବିପକ୍ଷରେ ସେ କୌଣସି ଦିନିକିଆ ମ୍ୟାଚ ଖେଳିନାହାନ୍ତି।

ଅନ୍ୟପକ୍ଷରେ ଦ୍ରୁତ ବୋଲର୍‌ ମ୍ୟାଟ ହେନରୀ ସମ୍ପୂର୍ଣ୍ଣ ଫିଟ ହୋଇଛନ୍ତି। ତେଣୁ ଦ୍ୱିତୀୟ ଦିନିକିଆ ପାଇଁ ତାଙ୍କୁ ଚୟନ କରାଯାଇପାରିବ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ନଭେମ୍ବର ୭, ଶନିବାର ଦିନ ୱେଲିଂଟନରେ ଖେଳାଯିବ।

ଭାରତ ବିପକ୍ଷ ପ୍ରଥମ ୩ଟି ଦିନିକିଆ ପାଇଁ ନ୍ୟୁଜିଲାଣ୍ଡ ଦଳ:
ମିଚେଲ ସାଣ୍ଟନର୍‌ (ଅଧିନାୟକ), ମାଇକେଲ ବ୍ରେସୱେଲ, ଜାକବ ଡଫି, ମ୍ୟାଟ ଫିସର୍‌, ମ୍ୟାଟ ହେନରୀ, କାଇଲ ଜେମିସନ, ନିକ କେଲି, ଟମ ଲାଥମ, ଡାରିଲ ମିଚେଲ, ହେନରୀ ନିକୋଲ୍ସ, ଗ୍ଲେନ ଫିଲିପ୍ସ, ଟିମ ସାଇଫର୍ଟ, ନାଥନ ସ୍ମିଥ, ୱିଲ ୟଙ୍ଗ ଓ ବ୍ଲେୟାର୍‌ ଟିକନର।

ଶେଷ ୨ଟି ଦିନିକିଆ ପାଇଁ ନ୍ୟୁଜିଲାଣ୍ଡ ଦଳ:
ମିଚେଲ ସାଣ୍ଟନର୍‌ (ଅଧିନାୟକ), ଫିନ ଆଲେନ, ମାଇକେଲ ବ୍ରେସୱେଲ, କ୍ରିଷ୍ଟିଆନ କ୍ଲାର୍କ, ଜାକବ ଡଫି, ମ୍ୟାଟ ଫିସର୍‌, ଡିନ ଫକ୍ସକ୍ରଫ୍ଟ, ଲକି ଫର୍ଗୁସନ, ମିଚ ହେ, ନିକ କେଲି, ଟିମ ସାଇଫର୍ଟ, ବ୍ଲେୟାର୍‌ ଟିକନର୍‌ ଓ ୱିଲ ୟଙ୍ଗ।

Dharitri – Odisha’s No.1 Odia Daily

Share
Tags: ind vs nzODI