Categories: Home Leftଖେଳ

ଚତୁର୍ଥ ଟି-୨୦ରୁ ବୈଭବଙ୍କୁ ବାହାର କରିବାକୁ ପଡିବ? କାହିଁକି ଏପରି କହିଲେ ଅଶ୍ୱିନ, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୨୯।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ପରବର୍ତ୍ତୀ ମୁକାବିଲା ଏବେ ଅକଲାଣ୍ଡରେ ଖେଳାଯିବ। ଶୁକ୍ରବାର, ଅକ୍ଟୋବର ୩୦ ତାରିଖରେ ଉଭୟ ଦଳ ଚତୁର୍ଥ ଟି-୨୦ ମ୍ୟାଚରେ ମୁହାଁମୁହିଁ ହେବେ। ପ୍ରଥମ ତିନୋଟି ମ୍ୟାଚ ଜିତି ଭାରତୀୟ ଦଳ ଆଗୁଆ ସିରିଜ ନିଜ ନାମରେ କରିସାରିଛି। ଏବେ ବାକି ଦୁଇଟି ମ୍ୟାଚ ଜିତି ବିଜୟଧାରା ବଜାୟ ରଖିବା ସହ ସିରିଜକୁ କ୍ଲିନ ସୁଇପ କରିବା ଉପରେ ଟିମ ଇଣ୍ଡିଆର ନଜର ରହିବ।

ତେବେ ଚତୁର୍ଥ ମ୍ୟାଚ ପୂର୍ବରୁ ଭାରତର ପ୍ଲେଇଂ-୧୧କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଇଶାନ କିଶନ ଦଳକୁ ଫେରିବାକୁ ପ୍ରସ୍ତୁତ କି? ସେ ଫିଟ ହେଲେ କେଉଁ ଖେଳାଳିଙ୍କୁ ବାହାରେ ବସିବାକୁ ପଡ଼ିବ? ଏହି ପ୍ରସଙ୍ଗରେ ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ମତ ରଖିଛନ୍ତି। ସେ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଉଲ୍ଲେଖ କରି ଏକ ପରାମର୍ଶ ଦେଇଛନ୍ତି।

ଅକଲାଣ୍ଡର ଇଡେନ ପାର୍କରେ ହେବାକୁ ଥିବା ଚତୁର୍ଥ ଟି-୨୦ ମ୍ୟାଚ ପୂର୍ବରୁ ଅଶ୍ୱିନ କହିଛନ୍ତି ଯେ, ଯଦି ଇଶାନ କିଶନ ପରବର୍ତ୍ତୀ ମ୍ୟାଚରେ ପ୍ଲେଇଂ-୧୧କୁ ଫେରନ୍ତି, ତେବେ ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ସଞ୍ଜୁ ସାମସନ ଓପନିଂ କରିବା ଉଚିତ।

ପ୍ରଥମ ଟି-୨୦ ମ୍ୟାଚରେ ଇଶାନ କିଶନ ଆହତ ହୋଇଥିଲେ। ଏହି କାରଣରୁ ସେ ପରବର୍ତ୍ତୀ ଦୁଇଟି ମ୍ୟାଚ ଖେଳିପାରିନଥିଲେ। ତାଙ୍କ ଅନୁପସ୍ଥିତିରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସୁଯୋଗ ମିଳିଥିଲା।

ଦ୍ୱିତୀୟ ଟି-୨୦ରେ ବୈଭବ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବାବେଳେ ତୃତୀୟ ମ୍ୟାଚରେ ସେ ଓପନିଂ କରିଥିଲେ। ସେହି ମ୍ୟାଚରେ ସଞ୍ଜୁ ସାମସନ ତୃତୀୟ ସ୍ଥାନରେ ବ୍ୟାଟିଂ କରିଥିଲେ।

ଏବେ ଇଶାନଙ୍କ ଫିଟ୍‌ନେସ ଓ ଦଳକୁ ଫେରିବା ନେଇ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି। ଯଦି ସେ ଚତୁର୍ଥ ମ୍ୟାଚରେ ଖେଳନ୍ତି, ତେବେ ଭାରତୀୟ ଦଳର ବ୍ୟାଟିଂ କ୍ରମରେ ପରିବର୍ତ୍ତନ ହେବ କି ନାହିଁ, ତାହା ଦେଖିବାକୁ ରହିଲା।

 

Dharitri – Odisha’s No.1 Odia Daily

Share