ଦ୍ୱିତୀୟ ଟେଷ୍ଟର ପ୍ଲେଇଂ ଇଲେଭେନ୍‌ରେ ବଡ଼ ପରିବର୍ତ୍ତନ, ବାଦ୍ ପଡିଲେ ଏହି ୨ ଅଭିଜ୍ଞ ଖେଳାଳି

ନୂଆଦିଲ୍ଲୀ,୨୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରାଇଷ୍ଟଚର୍ଚ୍ଚରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଅଭିଜ୍ଞ ଖେଳାଳି ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିନାହିଁ । ଅନ୍ୟପଟେ ଯୁବ ପେସ୍‌ ବୋଲର ଗୁରନୂର ବରାର ଟେଷ୍ଟ କ୍ରିକେଟ୍‌ରେ ଡେବ୍ୟୁ କରିଛନ୍ତି।

ଏହା ପୂର୍ବରୁ ୱେଲିଂଟନ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଚାରି ଜଣ ଦ୍ରୁତ ବୋଲରଙ୍କ ସହ ମୈଦାନକୁ ଓହ୍ଲାଇଥିଲା। ତଥାପି ସିରାଜଙ୍କୁ ପ୍ଲେଇଂ ଇଲେଭେନ୍‌ରେ ସ୍ଥାନ ମିଳିନଥିଲା। ଜାଡେଜା ମଧ୍ୟ ବାଦ୍‌ ପଡ଼ିଥିଲେ। ଏହି ନିଷ୍ପତ୍ତିକୁ ନେଇ ଅଧିନାୟକ ଶୁବମନ ଗିଲ୍‌ ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସମାଲୋଚନା ହୋଇଥିଲା। ଏବେ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ସେହି ଧାରା ଦେଖିବାକୁ ମିଳିଛି। କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟ ପୂର୍ବରୁ ଗୁରନୂର ବରାରଙ୍କ ଡେବ୍ୟୁ ନେଇ ଚର୍ଚ୍ଚା ହେଉଥିଲା। କୁଲଦୀପ ଯାଦବଙ୍କୁ ଦଳରୁ ରିଲିଜ୍‌ କରାଯିବା ପରେ ଗୁରନୂରଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଥିଲା। ଶେଷରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି।

ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଶୁବମନ ଗିଲ୍‌ ଗୁରନୂରଙ୍କ ଡେବ୍ୟୁ ବିଷୟରେ ସୂଚନା ଦେଇଥିଲେ। ଭାରତର ସବୁଠାରୁ ଅଭିଜ୍ଞ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ତାଙ୍କୁ ଟେଷ୍ଟ କ୍ୟାପ୍‌ ପ୍ରଦାନ କରିଥିଲେ। ବିସିସିଆଇ ସୋସିଆଲ୍‌ ମିଡିଆରେ ଗୁରନୂରଙ୍କୁ ୩୨୧ ନମ୍ବର ଟେଷ୍ଟ କ୍ୟାପ୍‌ ମିଳିଥିବା ସୂଚନା ଦେଇଥିଲା। ଚଳିତ ବର୍ଷ ଗୁରନୂରଙ୍କ ପାଇଁ ଭଲ ରହିଛି। ଏହା ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ତାଙ୍କୁ ଦିନିକିଆ କ୍ରିକେଟ୍‌ରେ ମଧ୍ୟ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ତେବେ ପ୍ରସିଦ୍ଧ କୃଷ୍ଣଙ୍କ ସ୍ଥାନରେ ଗୁରନୂରଙ୍କୁ ଖେଳାଇବା ନିଷ୍ପତ୍ତିକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି।

କ୍ରାଇଷ୍ଟଚର୍ଚ୍ଚ ପିଚ୍‌ ଦ୍ରୁତ ବୋଲରଙ୍କ ପାଇଁ ଅନୁକୂଳ ବୋଲି ଧରାଯାଉଥିବାରୁ ଦ୍ୱିତୀୟ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ତାଙ୍କୁ ପୁଣି ବେଞ୍ଚରେ ବସିବାକୁ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚଟି ଦିନିକିଆ ମ୍ୟାଚ୍‌ର ସିରିଜ୍‌ରେ ମଧ୍ୟ ସିରାଜଙ୍କୁ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିଥିଲା। ପ୍ରଥମ ଟେଷ୍ଟ ପରେ ଗିଲ୍‌ କହିଥିଲେ ଯେ ସିରାଜ ନିଜ ଲୟରେ ନାହାନ୍ତି।

ଅନ୍ୟପଟେ ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଦ୍ୱିତୀୟ ଟେଷ୍ଟରେ ସ୍ଥାନ ମିଳିନାହିଁ। ପ୍ରଥମ ଟେଷ୍ଟରେ ୱାଶିଂଟନ୍‌ ସୁନ୍ଦରଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ନଥିବାରୁ ଜାଡେଜାଙ୍କ ଫେରିବା ନେଇ ଆଶା ରହିଥିଲା। କିନ୍ତୁ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କୁ ପୁଣି ବାହାରେ ରଖିବାକୁ ନିଷ୍ପତ୍ତି ନେଇଛି।

କେଏଲ୍‌ ରାହୁଲ, ଯଶସ୍ୱୀ ଜୟସ୍ୱାଲ, ଦେବଦତ୍ତ ପାଡିକ୍କଲ, ଶୁବମନ ଗିଲ୍‌ (ଅଧିନାୟକ), ଋଷଭ ପନ୍ତ (ୱିକେଟ୍‌ କିପର), ୱାଶିଂଟନ୍‌ ସୁନ୍ଦର, ଧ୍ରୁବ ଜୁରେଲ, ଆକାଶ ଦୀପ, ଅଂଶୁଲ କାମ୍ବୋଜ, ଗୁରନୂର ବରାର ଓ ଜସପ୍ରୀତ ବୁମ୍‌ରା।

 

Dharitri – Odisha’s No.1 Odia Daily

Share