Categories: ଖେଳ

ଭାରତର ଖେଳ ବିଗାଡି ଦେଲେ ରୁଟ୍‌-ବେୟାରଷ୍ଟୋ

ବର୍ମିଂହାମ୍‌, ୫।୭:ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଚାଲିଥିବା କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ବିଜୟ ପଥରେ ଅଗ୍ରସର ହୋଇଛି। ଭାରତ ଦ୍ୱିତୀୟ ଇନିଂସରେ ୨୪୫ ରନ୍‌ରେ ଅଲ୍‌ଆଉଟ ହେବାରୁ ଇଂଲଣ୍ଡ ସମ୍ମୁଖରେ ୩୭୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ସୋମବାର ୪ର୍ଥ ଦିବସ ଖେଳ ଶେଷ ବେଳକୁ ଇଂଲଣ୍ଡ ୩ ଉଇକେଟ ହରାଇ ୨୫୯ ରନ ସଂଗ୍ରହ କରିଛି। ଫଳରେ ୭ଟି ଉଇକେଟ ସୁରକ୍ଷିତ ଥାଇ ଦଳ ବିଜୟ ଲକ୍ଷ୍ୟଠାରୁ ମାତ୍ର ୧୧୯ ରନ ଦୂରରେ ରହିଛି। ଜୋ ରୁଟ୍‌ ୭୬ (୧୧୨ ବଲ, ୯ ଚୌକା) ଓ ଜନି ବେୟାରଷ୍ଟୋ ୭୨ (୮୭ ବଲ, ୮ ଚୌକା, ୧ ଛକା) ରନରେ ଅପରାଜିତ ରହି ଅସମାପ୍ତ ୪ର୍ଥ ଉଇକେଟରେ ୧୫୦ ରନର ଭାଗୀଦାରି ଗଢ଼ିଛନ୍ତି। ପୂର୍ବରୁ ଆଲେକ୍ସ ଲିସ୍‌ ୫୬ ଓ ଜ୍ୟାକ କ୍ରଲି ୪୬ ରନକରି ଆଉଟ ହୋଇଛନ୍ତି।
ତୃତୀୟ ଦିବସର ଅସମାପ୍ତ ଦ୍ୱିତୀୟ ଇନିଂସ ୧୨୫/୩ରୁ ଭାରତ ଖେଳ ଆରମ୍ଭ କରିଥିଲା। ଚେତେଶ୍ୱର ପୂଜାରା ଓ ରିଷଭ ପନ୍ତ ସତର୍କତାର ସହ ଖେଳି ଇନିଂସକୁ ଆଗେଇ ନେଇଥିଲେ। ତେବେ ପୂର୍ବ ସ୍କୋରରେ ଆଉ ୨୮ ରନ୍‌ ଯୋଗ ହେବାପରେ ଭାରତକୁ ପ୍ରଥମ ଝଟ୍‌କା ଦେଇଥିଲେ ଷ୍ଟୁଆର୍ଟ ବ୍ରଡ୍‌। ସେ ପୂଜାରାଙ୍କୁ ବ୍ୟାକ୍‌ଓ୍ବାର୍ଡ ପଏଣ୍ଟରେ ଆଲେକ୍ସ ଲିସ୍‌ଙ୍କ ହାତରେ କ୍ୟାଚ କରାଇ ଇଂଲଣ୍ଡ ପାଇଁ ପ୍ରଥମ ସଫଳତା ଆଣିଥିଲେ। ପୂର୍ବଦିନ ଅର୍ଦ୍ଧଶତକ ହାସଲ କରିସାରିଥିବା ପୂଜାରା ମୋଟ ୬୬ (୧୬୮ ବଲ, ୬ ଚୌକା) ରନ କରି ପାଭିଲିୟନ ଫେରିଥିଲେ। ଦୁର୍ବଳ ଫର୍ମ ଜାରି ରଖି ଶ୍ରେୟାସ ଆୟାର ୧୯ ରନ୍‌ କରି ଆଉଟ ହୋଇଥିବାବେଳେ ପ୍ରଥମ ଇନିଂସରେ ଶତକ ହାସଲକାରୀ ପନ୍ତ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ସେ ଏହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ସେ ୮୬ ବଲ୍‌ରୁ ୮ ଚୌକା ସହାୟତାରେ ୫୭ ରନ୍‌ କରିଥିବାବେଳେ ସ୍ପିନର ଜ୍ୟାକ୍‌ ଲିଚ୍‌ଙ୍କ ବଲ୍‌କୁ ରିଭର୍ସ ସୁଇପ୍‌ ଖେଳିବାକୁ ଯାଇ ସ୍ଲିପ୍‌ରେ ଜୋ ରୁଟ୍‌ଙ୍କୁ କ୍ୟାଚ୍‌ ଦେଇ କ୍ରିଜ୍‌ ଛାଡ଼ିଥିଲେ। ଭାରତର ଶେଷଭାଗ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ। ସେ ମହମ୍ମଦ ଶାମି (୧୩ ରନ), ରବୀନ୍ଦ୍ର ଜାଡେଜା (୨୩) ଓ ଯଶପ୍ରୀତ୍‌ ବୁମ୍‌ରା (୭)ଙ୍କୁ ଆଉଟ କରି ଭାରତର ଦ୍ୱିତୀୟ ଇନିଂସ୍‌କୁ ୨୪୫ ରନ୍‌ରେ ଶେଷ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଷ୍ଟୋକ୍ସ ମୋଟ ୪ ଉଇକେଟ ନେଇଥିବାବେଳେ ଅନ୍ୟ ଇଂଲଣ୍ଡ ବୋଲରଙ୍କ ମଧ୍ୟରେ ଷ୍ଟୁଆର୍ଟ ବ୍ରଡ୍‌ ଓ ମାଥ୍ୟୁ ପଟ୍ଟ୍ସ ୨ଟି ଲେଖାଏ ଏବଂ ଜେମ୍ସ ଆଣ୍ଡରସନ ଓ ଜ୍ୟାକ୍‌ ଲିଚ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share