‘ନୋ ହ୍ୟାଣ୍ଡସେକ୍‌’ ପରେ ଟସ୍‌କୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲ୍‌ଟେଜ୍‌ ଡ୍ରାମା, ମୁହାଁମୁହିଁ ହେଲେ ଦୁଇ ଅଧିନାୟକ

ନୂଆଦିଲ୍ଲୀ,୨୨।୧୧: ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ୨୦୨୬ରେ ଭାରତ-ପାକିସ୍ତାନ ଏ’ ଦଳ ମଧ୍ୟରେ ମୁକାବିଲା ପୂର୍ବରୁ ଟସ୍‌କୁ ନେଇ ହାଇଭୋଲ୍‌ଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି । ଟସ୍‌ ଘୋଷଣା ବେଳେ ଉପସ୍ଥାପକଙ୍କ ଭୁଲ୍‌ ଯୋଗୁଁ କିଛି ସମୟ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ମୁଦ୍ରାର ଫଳାଫଳକୁ ନେଇ ଦୁଇ ଦଳର ଅଧିନାୟକ ତିଳକ ବର୍ମା ଓ ଅବଦୁଲ ସମଦଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି।

ଏହି ମ୍ୟାଚ୍‌ରେ ପାକିସ୍ତାନ ଏ’ ଦଳର ଅଧିନାୟକ ଅବଦୁଲ ସମଦ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ଏ’ ଦଳ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଉଭୟ ଦଳ ପୂର୍ବ ମ୍ୟାଚ୍‌ର ପ୍ଲେଇଂ ଇଲେଭେନ୍‌ରେ କୌଣସି ପରିବର୍ତ୍ତନ କରିନଥିଲେ। ଟସ୍‌ ସମୟରେ ଭାରତ ଏ’ ଅଧିନାୟକ ତିଳକ ବର୍ମା ମୁଦ୍ରା ଉପରକୁ ଫିଙ୍ଗିଥିଲେ। ପାକିସ୍ତାନ ଅଧିନାୟକ ଅବଦୁଲ ସମଦ ‘ହେଡ୍‌ସ’ କହିଥିଲେ। ମୁଦ୍ରା ତଳେ ପଡ଼ିବା ପରେ ଉପସ୍ଥାପକ ‘ଟେଲ୍‌ସ’ ଆସିଥିବା ଘୋଷଣା କରିଥିଲେ। ଏହା ଅନୁସାରେ ଭାରତ ଟସ୍‌ ଜିତିଥିବା କୁହାଯାଇଥିଲା।

ତେବେ ଏହି ଘୋଷଣା ପରେ ଉଭୟ ଅଧିନାୟକ ତଳକୁ ନଇଁ ମୁଦ୍ରାକୁ ଭଲ ଭାବେ ଦେଖିଥିଲେ। ଅବଦୁଲ ସମଦ ମୁଦ୍ରା ଆଡ଼କୁ ଇଙ୍ଗିତ କରି ଏହା ‘ହେଡ୍‌ସ’ ବୋଲି ଉପସ୍ଥାପକଙ୍କୁ କହିଥିଲେ। ପରେ ମୁଦ୍ରାକୁ ପୁଣିଥରେ ଯାଞ୍ଚ କରାଯାଇଥିଲା। ଉପସ୍ଥାପକ ନିଜ ଭୁଲ୍‌ ସୁଧାରି ପାକିସ୍ତାନ ଟସ୍‌ ଜିତିଥିବା ଘୋଷଣା କରିଥିଲେ। ଟସ୍‌ ପରେ ଦୁଇ ଅଧିନାୟକ ପରସ୍ପର ସହ ହାତ ମିଳାଇନଥିଲେ। ଏସିଆ କପ୍‌ ୨୦୨୫ରୁ ଚାଲିଆସୁଥିବା ‘ନୋ ହ୍ୟାଣ୍ଡସେକ୍‌’ ପରମ୍ପରା ଏହି ମ୍ୟାଚ୍‌ରେ ମଧ୍ୟ ଜାରି ରହିଥିଲା। ଏହି ଘଟଣାକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି।

ଟସ୍‌ ହାରିବା ପରେ ଭାରତ ଏ’ ଅଧିନାୟକ ତିଳକ ବର୍ମା କହିଥିଲେ ଯେ, ତାଙ୍କ ଦଳ ମଧ୍ୟ ପ୍ରଥମେ ବ୍ୟାଟିଂ କରିବାକୁ ଚିନ୍ତା କରିଥିଲା। ପିଚ୍‌ ଟିକିଏ ଶୁଖିଲା ଥିବା ଭଳି ଲାଗୁଛି। ହର୍ଷିତ ରାଣା ଓ ପ୍ରିନ୍ସ ଯାଦବଙ୍କ ବୋଲିଂକୁ ସେ ପ୍ରଶଂସା କରିଥିଲେ। ଆହତ ସମସ୍ୟାରୁ ଫେରିବା ପରେ ହର୍ଷିତଙ୍କ ଏଭଳି ବୋଲିଂ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।

ତିଳକ କହିଥିଲେ, ଦଳ ପାଇଁ ଏହା ଆଉ ଏକ ସାଧାରଣ ମ୍ୟାଚ୍‌ ହୋଇଥିବା ବେଳେ ଦର୍ଶକଙ୍କ ପାଇଁ ଭାରତ-ପାକିସ୍ତାନ ମୁକାବିଲା ସବୁବେଳେ ରୋମାଞ୍ଚକର । ନେପାଳ ବିପକ୍ଷ ପୂର୍ବ ମ୍ୟାଚ୍‌ରେ ଭାରତ ଏ’ ଦଳ ୩୦୬ ରନ୍‌ର ବଡ଼ ବ୍ୟବଧାନରେ ଐତିହାସିକ ବିଜୟ ହାସଲ କରିଥିଲା। ସେହି ମ୍ୟାଚ୍‌ରେ ଖେଳିଥିବା ସମାନ ଏକାଦଶକୁ ଏହି ମ୍ୟାଚ୍‌ରେ ମଧ୍ୟ ସୁଯୋଗ ଦିଆଯାଇଥିଲା।

 

Dharitri – Odisha’s No.1 Odia Daily

Share